ନୂଆଦିଲ୍ଲୀ, ୨୭/୧୧: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ସଂରକ୍ଷଣର ଲାଭ ପାଇବା ପାଇଁ ଧର୍ମ ପରିବର୍ତ୍ତନ କରିବା ସମ୍ବିଧାନର ମୌଳିକ ଭାବନାର ବିରୁଦ୍ଧ ଅଟେ। ଏଥିସହ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି। ମାଡ୍ରାସ ହାଇକୋର୍ଟ ଜଣେ ଖ୍ରୀଷ୍ଟିଆନ ମହିଳାଙ୍କୁ ଏକ ଅନୁସୂଚିତ ଜାତି (ଏସ୍ସି) ପ୍ରମାଣପତ୍ର ଦେବାକୁ ମନା କରିଥିଲେ। ଏହି ମହିଳା ପୁଡୁଚେରୀରେ ଅପର ଡିଭିଜନ୍ କ୍ଲର୍କ (ୟୁଡିସି) ଚାକିରି ପାଇଁ ଏସ୍ସି ସାର୍ଟିଫିକେଟ୍ ଚାହୁଁଥିଲେ। ଏଥିପାଇଁ ସେ ନିଜକୁ ହିନ୍ଦୁ ବୋଲି ଘୋଷଣା କରିଥିଲେ।
ଜଷ୍ଟିସ ପଙ୍କଜ ମିତ୍ତଲ ଏବଂ ଜଷ୍ଟିସ ଆର. ମହାଦେବନଙ୍କ ନେତୃତ୍ବରେ ଗ ଠିତବେଞ୍ଚ କହିଛନ୍ତି ଯେ ମହିଳା ଖ୍ରୀଷ୍ଟିଆନ ଧର୍ମ ଅନୁସରଣ କରନ୍ତି ଏବଂ ନିୟମିତ ଚର୍ଚ୍ଚକୁ ଯାଆନ୍ତି। ଏହା ସତ୍ତ୍ବେ ସେ ଏହି ଚାକିରି ପାଇଁ ଜଣେ ହିନ୍ଦୁ ଏବଂ ଅନୁସୂଚିତ ଜାତିର ବ୍ୟକ୍ତି ବୋଲି ଦାବି କରୁଛନ୍ତି। ଏହିପରି ଦୋହରା ଦାବି ଠିକ୍ ନୁହେଁ ।
ଅଦାଲତ କହିଛନ୍ତି ଏହି ମାମଲା ଏକ ବଡ଼ ପ୍ରଶ୍ନ ସହିତ ଜଡିତ ଯେଉଁଥିରେ ଧର୍ମକୁ ଏସ୍ସି / ଏସ୍ଟି ସଂରକ୍ଷଣର ଆଧାର କରିବା ପାଇଁ ସାମ୍ବିଧାନିକତା ଉପରେ ଶୁଣାଣି ଚାଲିଛି। ଏଥିରେ ଖ୍ରୀଷ୍ଟିଆନ ଏବଂ ମୁସଲମାନ ଦଳିତଙ୍କ ପାଇଁ ସଂରକ୍ଷଣ ଦାବି କରାଯାଇଛି। ୧୯୫୦ର ରାଷ୍ଟ୍ରପତିଙ୍କ ଆଦେଶ ଅନୁଯାୟୀ କେବଳ ହିନ୍ଦୁମାନେ ଏସ୍ସି ମାନ୍ୟତା ପାଇପାରିବେ। ସଂରକ୍ଷଣ ପାଇଁ ଶିଖ୍ ଏବଂ ବୌଦ୍ଧଧର୍ମୀମାନଙ୍କୁ ମଧ୍ୟ ହିନ୍ଦୁ ବୋଲି ବିବେଚନା କରାଯାଇଥାଏ। ୨୦୦୭ରେ, ଜଷ୍ଟିସ୍ ରଙ୍ଗନାଥ ମିଶ୍ର ଆୟୋଗ ଦଳିତ ଖ୍ରୀଷ୍ଟିଆନ ଏବଂ ମୁସଲମାନମାନଙ୍କୁ ଏସ୍ସି ସଂରକ୍ଷଣ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ।
ଜଷ୍ଟିସ ମହାଦେବନ କହିଛନ୍ତି ଯେ ଭାରତ ଏକ ଧର୍ମନିରପେକ୍ଷ ଦେଶ। ଧାରା ୨୫ ଅନୁଯାୟୀ, ପ୍ରତ୍ୟେକ ନାଗରିକ ନିଜ ପସନ୍ଦର ଧର୍ମ ପାଳନ କରିବାର ଅଧିକାର ପାଇଛନ୍ତି। ଜଣେ ବ୍ୟକ୍ତି ଅନ୍ୟ ଧର୍ମରେ ଯୋଗ ଦେଇଥାଏ ଯେତେବେଳେ ସେ ଏହାର ନୀତି ଏବଂ ଧାରଣା ଦ୍ୱାରା ପ୍ରଭାବିତ ହୁଏ। କିନ୍ତୁ ଯଦି ଧାର୍ମିକ ରୂପାନ୍ତରର ଉଦ୍ଦେଶ୍ୟ କେବଳ ସଂରକ୍ଷଣର ଲାଭ ପାଇବା, ତେବେ ଏହାକୁ ଅନୁମତି ଦିଆଯାଇପାରିବ ନାହିଁ। ଏହିପରି ଲୋକଙ୍କୁ ସଂରକ୍ଷଣ ପ୍ରଦାନ ସଂରକ୍ଷଣ ନୀତିର ସାମାଜିକ ଉଦ୍ଦେଶ୍ୟକୁ ବିଫଳ କରିବ।
ମାଡ୍ରାସ ହାଇକୋର୍ଟର ୨୪ ଜାନୁଆରୀ ୨୦୨୩ର ଆଦେଶକୁ ଆବେଦନକାରୀ ସି ସେଲଭାରାନି ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେଲଭାରାନି କହିଥିଲେ ଯେ ସେ ହିନ୍ଦୁ ଧର୍ମକୁ ମାନନ୍ତି ଏବଂ ଭାଲୁଭାନ ଜାତିର। ଏହି ଜାତି ୧୯୬୪ର ସମ୍ବିଧାନ (ପୁଡୁଚେରୀ) ଅନୁସୂଚିତ ଜାତି ଆଦେଶ ଅଧୀନରେ ଆସିଥାଏ। ତେଣୁ ସେ ଆଦି ଦ୍ରାବିଡ଼ କୋଟା ଅଧୀନରେ ସଂରକ୍ଷଣ ପାଇବାକୁ ହକଦାର। ସେଲଭାରାନି ଯୁକ୍ତି କରିଥିଲେ, ସେ ଜନ୍ମରୁ ହିନ୍ଦୁ ଧର୍ମ ଅନୁସରଣ କରୁଛନ୍ତି ଏବଂ ମନ୍ଦିରକୁ ଯାଇ ହିନ୍ଦୁ ଦେବତାଙ୍କୁ ପୂଜା କରୁଛନ୍ତି।
ମହିଳା ଜଣକ ଜଣେ ହିନ୍ଦୁ ପିତା ଏବଂ ଖ୍ରୀଷ୍ଟିଆନ ମାତାଙ୍କଠାରୁ ଜନ୍ମ ହୋଇଥିବା ଅନେକ ଡକ୍ୟୁମେଣ୍ଟ ମାଧ୍ୟମରେ କୋର୍ଟରେ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ। ବିବାହ ପରେ ତାଙ୍କ ମା’ ମଧ୍ୟ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ତାଙ୍କର ଜେଜେବାପା ଏବଂ ପରଜେଜେବାପାମାନେ ଭାଲୁଭାନ୍ ଜାତିର ଥିଲେ। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ଶିକ୍ଷାଗତ ଜୀବନରେ ସେ ଏସ୍ସି ସମ୍ପ୍ରଦାୟର ବୋଲି ବିବେଚନା କରାଯାଉଥିଲେ। ତାଙ୍କର ସ୍ଥାନାନ୍ତର ପ୍ରମାଣପତ୍ର ମଧ୍ୟ ତାଙ୍କ ଜାତି ନିଶ୍ଚିତ କରିଛି। ତାଙ୍କ ବାପା ଏବଂ ଭାଇଙ୍କର ଏସ୍ସି ସାର୍ଟିଫିକେଟ୍ ଅଛି।
ତେବେ ଏହି ଘଟଣାର ସତ୍ୟପାଠ ଅନୁଧ୍ୟାନ କରିବା ପରେ ବେଞ୍ଚ କହିଛନ୍ତି ଯେ ଗ୍ରାମ ପ୍ରଶାସନିକ ଅଧିକାରୀଙ୍କ ରିପୋର୍ଟ ଏବଂ ଡକ୍ୟୁମେଣ୍ଟାରୀ ପ୍ରମାଣ ସ୍ପଷ୍ଟ ଭାବରେ ଦର୍ଶାଇଛି ଯେ ତାଙ୍କ ପିତା ଏସ୍ସି ସମ୍ପ୍ରଦାୟର ଏବଂ ମାତା ଜଣେ ଖ୍ରୀଷ୍ଟିଆନ। ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ସେମାନେ ବିବାହ କରିଥିଲେ। ଏହା ପରେ, ସେଲଭାରାନିଙ୍କ ପିତା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ।
ତାଙ୍କ ଭାଇ ୭ ମେ’ ୧୯୮୯ରେ ଖ୍ରୀଷ୍ଟିଆନ ହୋଇଥିଲେ। ସେଲଭାରାନି ୨୨ ନଭେମ୍ବର ୧୯୯୦ରେ ଜନ୍ମଗ୍ରହଣ କରିଥିଲେ ଏବଂ ପୁଡୁଚେରୀର ଭିଲିଆନୁରର ଲୋର୍ଡସ୍ ଶ୍ରୀଇନରେ ୬ ଜାନୁଆରୀ ୧୯୯୧ରେ ସେ ଖ୍ରୀଷ୍ଟିଆନ ହୋଇଥିଲେ। ତେଣୁ, ଏହା ସ୍ପଷ୍ଟ ଯେ ସେଲଭାରାନି ଜନ୍ମରୁ ଖ୍ରୀଷ୍ଟିଆନ ଥିଲେ ଏବଂ ସେ ଏସ୍ସି ସାର୍ଟିଫିକେଟ୍ ପାଇବାକୁ ଯୋଗ୍ୟ ନୁହନ୍ତି।
ବେଞ୍ଚ କହିଛନ୍ତି ଯେ ଯଦି ସେଲଭାରାନି ଏବଂ ତାଙ୍କ ପରିବାର ପ୍ରକୃତରେ ଧର୍ମ ପରିବର୍ତ୍ତନ କରିବାକୁ ଚାହାନ୍ତି, ତେବେ ସେମାନେ କେବଳ ହିନ୍ଦୁ ବୋଲି କହିବା ପରିବର୍ତ୍ତେ ଏହାକୁ ପ୍ରମାଣ କରିବା ପାଇଁ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଧାର୍ମିକ ରୂପାନ୍ତରର ଗୋଟିଏ ଉପାୟ ହେଉଛି ଆର୍ଯ୍ୟ ସମାଜ ମାଧ୍ୟମରେ। ଏହି ପରିବର୍ତ୍ତନକୁ ସର୍ବସାଧାରଣରେ ଘୋଷଣା କରାଯାଇପାରେ। ଏହା ସହିତ ସୁପ୍ରିମକୋର୍ଟ ମହିଳାଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ ଯେ ସେ ତିନି ମାସରୁ କମ୍ ବୟସରେ ଖ୍ରୀଷ୍ଟିଆନ ହୋଇଥିଲେ।
କୋର୍ଟ କହିଛନ୍ତି ଯେ ଏହି ଯୁକ୍ତି ଆମ ପାଇଁ ସଠିକ୍ ମନେହୁଏ ନାହିଁ କାରଣ ସେ ଖ୍ରୀଷ୍ଟିଆନ ପଞ୍ଜିକରଣକୁ ବାତିଲ କରିବାକୁ କୌଣସି ଉଦ୍ୟମ କରିନାହାନ୍ତି କିମ୍ବା ଏ ବାବଦରେ କୌଣସି ମାମଲା ଦାଖଲ କରିନାହାନ୍ତି। ଅଦାଲତ କହିଛନ୍ତି, ଅନୁସନ୍ଧାନରୁ ଜଣାପଡିଛି ଯେ ତାଙ୍କ ପିତାମାତା ଭାରତୀୟ ଖ୍ରୀଷ୍ଟିଆନ ବିବାହ ଆଇନ, ୧୮୭୨ ଅନୁଯାୟୀ ବିବାହ କରିଥିଲେ।
ସେଲଭାରାନି ଏବଂ ତାଙ୍କ ଭାଇ ଖ୍ରୀଷ୍ଟିଆନ ହୋଇଥିଲେ ଏବଂ ନିୟମିତ ଭାବରେ ଚର୍ଚ୍ଚରେ ଯୋଗ ଦେଇଥିଲେ। ସେ ପୁନର୍ବାର ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ବୋଲି କୌଣସି ପ୍ରମାଣ ନାହିଁ। ଅପରପକ୍ଷେ, ପ୍ରକୃତ କଥା ହେଉଛି ସେମାନେ ଏବେ ମଧ୍ୟ ଖ୍ରୀଷ୍ଟିଆନ ଧର୍ମ ପାଳନ କରୁଛନ୍ତି ବୋଲି କୋର୍ଟ କହିବା ସହିତ ଏହି ଆବେଦନକୁ ଖାରଜ କରିଛନ୍ତି।
Comments are closed.