ଆତଙ୍କିତ ହୁଅନି, ତେଲ ଅଛି: ମୁଖ୍ୟ ସଚିବ

0

ଭୁବନେଶ୍ବର, ୧୮/୫: ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଯୋଗାଣ ସ୍ଥିତିର ସମୀକ୍ଷା କରି ମୁଖ୍ୟ ସଚିବ ଅନୁ ଗର୍ଗ ତେଲର କୌଣସି ଅଭାବ ନ ଥିବା କହିଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା ପରେ ଗଣମାଧ୍ୟମ ସହ ଆଲୋଚନା କରି ଶ୍ରୀମତୀ ଗର୍ଗ ରାଜ୍ୟବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇ କହିଥିଲେ ଯେ ପେଟ୍ରୋଲ, ଡିଜେଲ, ଏଲ୍‌ପିଜି ଓ ୟୁରିଆ ସାରର ଯୋଗାଣ ସବୁଆଡ଼େ ସ୍ଥିର ରହିଛି। ତେଣୁ ପେଟ୍ରୋଲ ପମ୍ପରେ ଅଯଥା ଭିଡ଼ ନ କରିବା ଓ ଅତଙ୍କିତ ନ ହେବାକୁ ସେ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଥିଲେ ଯେ ପ୍ରତି ଜିଲ୍ଲାରେ ଯଥେଷ୍ଟ ପରିମାଣର ତେଲ ଅଛି।

ବର୍ତ୍ତମାନ ସମୟର ଫାଇଦା ନେଇ ଯେଉଁମାନେ କଳାବଜାରକୁ ପ୍ରୋତ୍ସାହନ ‌ଦେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। କଳାବଜାରକୁ ରୋକିବା ପାଇଁ ଚଢ଼ଉ ଜାରି ରହିଛି। ତେଲ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିବା ଓ ଯେଉଁ ସ୍ଥାନରେ ଉଲ୍ଲଂଘନ ଭଳି ସାମ୍ନା ସାମନାକୁ ଆସୁଛି, ସେଠାରେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ଜିଲ୍ଲାପାଳମାନଙ୍କୁ କହିଛନ୍ତି।

ତେଲ ଯୋଗାଣ ସ୍ବାଭାବିକ ରଖିବାକୁ ଯୋଗାଣ ବିଭାଗ ଅଧିକାରୀମାନେ ତେଲ କମ୍ପାନିମାନଙ୍କ ସହ ଯୋଗାଯୋଗରେ ରହିଛନ୍ତି। ଛାନିଆ ହୋଇ କିଣିଲେ କିମ୍ବା ଗୁଜବ ପ୍ରଚାର କଲେ କେବଳ କୃତ୍ରିମ ଅଭାବ ଦେଖାଦେବ ବୋଲି ସରକାର କହିଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟ କରିଛି ଯେ ଓଡ଼ିଶାରେ ତେଲ ଓ ଗ୍ୟାସ୍‌ ଯୋଗାଣ ସ୍ପଷ୍ଟ ରହିଛି। ଟର୍ମିନାଲ, ଡିପୋ ଓ ପେଟ୍ରୋଲ ପମ୍ପ ସ୍ବାଭାବିକ ଭାବେ କାମ କରୁଛି। କେଉଁ ସ୍ଥାନରେ କେତେ ତେଲ ଅଛି ତାହାକୁ ବାସ୍ତବ ସମୟରେ ନିରୀକ୍ଷଣ କରାଯାଉଛି। ସବୁ ସ୍ଥାନରେ ଷ୍ଟକ୍‌ ଉପଯୁକ୍ତ ସ୍ତରରେ ଥିବା ମନ୍ତ୍ରଣାଳୟ ଦାବି କରିଛି। ଯେତିକି ତେଲ ଓ ଗ୍ୟାସ୍‌ ଦରକାର ସେତିକି କିଣିବା ଓ ଆତଙ୍କିତ ନ ହେବାକୁ ତୈଳ କମ୍ପାନିଗୁଡ଼ିକ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି।

 

Leave A Reply

Your email address will not be published.