ୟୁଏଇରେ ଡ୍ରୋନ୍ ଆକ୍ରମଣ; ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି, ବିକିରଣ ବିପଦ ନାହିଁ

0

ଆବୁଧାବି, ୧୭/୫: ପଶ୍ଚିମ ଏସିଆରେ ଲାଗି ରହିଥିବା ତୀବ୍ର ଉତ୍ତେଜନା ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ପରମାଣୁ ଶକ୍ତି କେନ୍ଦ୍ର ଉପରେ ଆଜି ଏକ ବଡ଼ ଧରଣର ଡ୍ରୋନ୍‌ ଆକ୍ରମଣ ହୋଇଛି। ଆବୁଧାବିର ଅଲ୍ ଧାଫ୍ରା ଅଞ୍ଚଳରେ ଅବସ୍ଥିତ ‘ବାରାକାହ ପରମାଣୁ ଶକ୍ତି କେନ୍ଦ୍ର’ ପରିସରକୁ ଟାର୍ଗେଟ୍ କରି ଏହି ଡ୍ରୋନ୍ ମାଡ଼ କରାଯାଇଥିଲା ଏବଂ ଏଥି ଯୋଗୁ ଭୟଙ୍କର ନିଆଁ ଲାଗିଯାଇଛି। ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ଉପସାଗରୀୟ ଅଂଚଳରେ ଏହି ଏକମାତ୍ର ସକ୍ରିୟ ଆଣବିକ ପ୍ରତିଷ୍ଠାନ ଉପରେ ଏହା ହେଉଛି ପ୍ରଥମ ଆକ୍ରମଣ। ଏହି ଘଟଣା ସାରା ବିଶ୍ୱରେ ପରମାଣୁ ସୁରକ୍ଷାକୁ ନେଇ ଆତଙ୍କ ସୃଷ୍ଟି କରିଛି।

ଆବୁଧାବି କର୍ତ୍ତୃପକ୍ଷ ଏବଂ ୟୁଏଇର ପରମାଣୁ ନିୟାମକ ସଂସ୍ଥା ସୂଚନା ଦେଇଛି ଯେ, ଆକ୍ରମଣ ଯୋଗୁ ପ୍ଲାଣ୍ଟ୍‌ ସଂଲଗ୍ନ ପରିସରରେ କ୍ଷୟକ୍ଷତି ହୋଇଛି ଏବଂ ଏକ ଜେନେରେଟରରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ତୁରନ୍ତ ଏହାକୁ ଆୟତ୍ତ କରିନେଇଛନ୍ତି। ଏହି ଆକ୍ରମଣରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି ଏବଂ ପରମାଣୁ ବିକିରଣର କୌଣସି ବିପଦ ନାହିଁ।

ପ୍ଲାଣ୍ଟର ସମସ୍ତ ୪ଟି ଯାକ ରିଆକ୍ଟର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସହ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ତେବେ ୟୁଏଇ ପକ୍ଷରୁ ନିଜ ସୀମାରେ ଇସ୍ରାଏଲର ଆଇରନ୍ ଡୋମ୍ ପ୍ରତିରକ୍ଷା ବ୍ୟବସ୍ଥା ଏବଂ ସେନା ମୁତୟନ କରାଯାଇଥିବାରୁ ଏହା ପଛରେ ଇରାନର ହାତ ଥିବା ସନ୍ଦେହ କରାଯାଉଛି। ୨୦ ବିଲିୟନ ଡଲାର ବ୍ୟୟରେ ଦକ୍ଷିଣ କୋରିଆ ସହାୟତାରେ ନିର୍ମିତ ଏହି ହାଇ-ଟେକ୍ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ବିଶ୍ୱ ଶକ୍ତି ବଜାର ଓ ଯୁଦ୍ଧ ବିରତି ଆଲୋଚନାକୁ ବଡ଼ ଝଟକା ଦେଇଛି।

 

Leave A Reply

Your email address will not be published.