ଶ୍ରୀମନ୍ଦିରରେ ଡ୍ରେସ୍‌କୋଡ୍‌ ନେଇ ଆସିଲା ମାର୍ଗଦର୍ଶିକା

ପୁରୁଷ ପିନ୍ଧିବେ ଫୁଲ୍ ପ୍ୟାଂଟ, ସାର୍ଟ, ଚୁଡିଦାର-ପଞ୍ଜାବୀ, ଧୋତି ଓ ମହିଳାଙ୍କ ପାଇଁ ଶାଢି, ସାଲୱାର, କମିଜ

0

ପୁରୀ,୧୩/୧୦: ଶ୍ରୀମନ୍ଦିରରେ ଭକ୍ତଙ୍କ ଶାଳୀନତାପୂର୍ଣ୍ନ ପୋଷକ ପରିଧାନ ପ୍ରକ୍ରିୟା ଏବେ ତ୍ୱରାନ୍ୱିତ ହୋଇଛି। ଶାଳୀନତାପୂର୍ଣ୍ଣ ପୋଷକ ପରିଧାନ ନେଇ ସମସ୍ତ ନିଯୋଗ ଓ ହୋଟେଲ ଆସୋସିଏସନ୍‌ର ସହଯୋଗ କାମନା ପରେ ଆଜି ନୀଳାଦ୍ରି ଭକ୍ତ ନିବାସରେ ଜେଟିପିମାନଙ୍କୁ ଦକ୍ଷତା ବିକାଶ ନେଇ ତାଲିମ ଦିଆଯାଇଛି। ସେମାନେ ଯାତ୍ରୀ ତଥା ପର୍ଯ୍ୟଟକଙ୍କୁ ଯେଭଳି ଉଚିତ୍ ବ୍ୟବହାର ପ୍ରଦର୍ଶନ କରି ସଚେତନ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି।

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍ କଟକଣା ନେଇ ସମସ୍ତ ସେବାୟତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ କିପରି ଡ୍ରେସ୍ ପିନ୍ଧିବେ ସେନେଇ ସଚେତନ କରିବାକୁ ଚିଠିରେ କୁହାଯାଇଛି। ପ୍ରଶାସନ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି, ସେବାୟତମାନେ ବହୁ କାଳରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହିମାର ପ୍ରଚାର ପ୍ରସାର କରିଆସୁଛନ୍ତି।

ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ସେମାନଙ୍କ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଉଛନ୍ତି। ସେଥିପାଇଁ ସଚେତନ କାମରେ ସେବାୟତମାନେ ସହଯୋଗ କରିବା ଉଚିତ୍। ସେହିପରି ହୋଟେଲ ଆସୋସିଏସନକୁ କୁହାଯାଇଛି ଯେ, ଯେଉଁ ଶ୍ରଦ୍ଧାଳୁମାନେ ହୋଟେଲରେ ରହୁଛନ୍ତି ସେମାନଙ୍କୁ ହୋଟେଲ କର୍ମଚାରୀ, ଟୁରିଷ୍ଟ ଗାଇଡଙ୍କ ଜରିଆରେ ପୋଷାକ କଟକଣା ବିଷୟରେ ସଚେତନ କରାନ୍ତୁ।

ଶ୍ରୀମନ୍ଦିରର ଚିଠିରେ ଦର୍ଶାଯାଇଛି ଯେ, ପୁରୁଷମାନେ ଫୁଲ୍ ପ୍ୟାଂଟ, ସାର୍ଟ, ଚୁଡିଦାର-ପଞ୍ଜାବୀ, ଧୋତି ଆଦି ପାରମ୍ପରିକ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ପାରିବେ। ମହିଳାମାନେ ଶାଢି, ସାଲୱାର, କମିଜ ପ୍ରଭୃତି ପରିଧାନ କରି ଆସିଲେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ପାଇବେ। ଏନେଇ ଆସନ୍ତା ନୂଆବର୍ଷ ପର୍ଯ୍ୟନ୍ତ ସଚେତନ କରାଯିବ। ନୂଆବର୍ଷ ପରେ କଟକଣା କଡ଼ାକଡି ଭାବେ ପାଳନ କରାଯାଇପାରେ ବୋଲି କୁହାଯାଇଛି।

 

Leave A Reply

Your email address will not be published.