କାବୁଲ ସାଂସଦଙ୍କ ଉପରକୁ ବୋମା ମାଡ଼, ୮ ମୃତ ୧୫ ଆହତ

କାବୁଲ, ୨୦।୧୨: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେଠାକାର ସାଂସଦ ହାଜି ଖାନ ମହମ୍ମଦ ଭରାଦକଙ୍କ ଗାଡ଼ିକୁ ନିଶାଣ କରି ବୋମା ବିସ୍ଫୋରଣ କରିଥିଲେ ଆତଙ୍କବାଦୀ। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ସାଂସଦଙ୍କ ସହିତ ୧୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶିଶୁ ଓ ମହିଳା ମଧ୍ୟ ରହିଛନ୍ତି। ସହରର ପିଡି-୫ ଅଞ୍ଚଳରେ ଥିବା ସ୍ପିନ୍ କାଲେ ସ୍କୋୟାରରେ ଏହି ବିସ୍ଫୋରଣ ଘଟିଛି। ଏ ନେଇ କାବୁଲ ପୁଲିସ ସୂଚନା ଦେଇଛି।

ଆଫଗାନିସ୍ତାନ ଗୃହ ମନ୍ତ୍ରଣାଳୟର ଉପ ମୁଖପାତ୍ର ଫରଦାସ ଫାରାମର୍ଜ କହିଛନ୍ତି ଯେ ଏହି ଆକ୍ରମଣରେ ୩ଟି ଗାଡ଼ିରେ ନିଆଁ ଲାଗିଯାଇଥିଲା। ସରକାରୀ ରିପୋର୍ଟ ଅନୁଯାୟୀ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

 

Comments are closed.