ଆସନ୍ତାକାଲି ଏନ୍‌ଆଇଟିର ୧୯ତମ ସମାବର୍ତ୍ତନ

ସାର୍ଟିଫିକେଟ୍‌ ନେବେ ୧୫୫୫ ଜଣ, ୧୧ ପୂର୍ବ ଛାତ୍ରଙ୍କୁ ସମ୍ବର୍ଦ୍ଧନା

0

ରାଉରକେଲା, ୧୨।୮: ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ୧୯ତମ ସମାବର୍ତ୍ତନ ଉତ୍ସବ ଆସନ୍ତାକାଲି ଅନୁଷ୍ଠିତ ହେବ। ଅନୁଷ୍ଠାନର ଭୁବନେଶ୍ବର ବେହେରା ଅଡିଟୋରିୟମରେ ପୂର୍ବାହ୍ନ ୧୦ଟାରୁ ଉତ୍ସବ ଆରମ୍ଭ ହେବ। ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେବାକୁ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ୍‌ ଓରାମ, ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେବେ। ଏଥର ସ୍ନାତକମାନଙ୍କୁ ବ୍ଲକ୍ ଚେନ୍ ଆଧାରିତ ଡିଜିଟାଲ୍ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଭଳି ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରିବାରେ ଏନ୍‌ଆଇଟି ଦେଶରେ ଦ୍ବିତୀୟ ଅନୁଷ୍ଠାନ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ କହିଲେ, ଅନୁଷ୍ଠାନ ଚଳିତ ବର୍ଷ ଏହାର ହୀରକ ଜୟନ୍ତୀ ପାଳନ କରୁଛି। ତଦନୁସାରେ ୧୯ ତମ ସମାବର୍ତ୍ତନ ଉତ୍ସବକୁ ହୀରକ ଜୟନ୍ତୀ ସମାବର୍ତ୍ତନ ସମାରୋହ ଭାବେ ପାଳନ କରାଯାଉଛି। ଏଥର ମୋଟ୍‌ ୧୫୫୫ ଜଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ଏଥିରେ ୮୫୯ ସ୍ନାତକୋତ୍ତର, ୬୦୮ ପୋଷ୍ଟ ଗ୍ରାଜୁଏଟ୍ ଓ ୮୮ ପିଏଚ୍‌ଡି ଛାତ୍ରଛାତ୍ରୀ ଅଛନ୍ତି। ୬୭୫ ଜଣ ବି.ଟେକ୍‌ ଛାତ୍ରଛାତ୍ରୀ ଥିବା ବେଳେ ୧୭ ଜଣ ବି.ଆର୍କିଟେକ୍‌ଚର, ୧୨୦ ଜଣ ଡୁଆଲ ଡିଗ୍ରୀ, ୪୭ ଜଣ ଇଣ୍ଟଗ୍ରେଟେଡ୍‌ ଏମ୍‌ଏସ୍‌ସି, ୪୨୯ ଜଣ ଏମ.ଟେକ୍‌, ୧୪୬ ଜଣ ଏମ.ଏସ୍‌ସି, ୧୯ ଜଣ ଏମ୍‌ବିଏ, ୧୩ ଜଣ ଏମ୍‌ଏ, ଜଣେ ଏମ.ଟେକ୍‌ ରିସର୍ଚ୍ଚ୍‌ ଓ ୮୮ ଜଣ ପିଏଚ୍‌ଡି ଡିଗ୍ରିଧାରୀ ଅଛନ୍ତି। ଏହାସହ ୬ ଟି ଅନୁଷ୍ଠାନ ସ୍ୱର୍ଣ୍ଣ ପଦକ, ପାଞ୍ଚଟି ଏନ୍‌ଡାଓମେଣ୍ଟ୍‌ ସ୍ୱର୍ଣ୍ଣ ପଦକ, ୭୦ ଜଣ ବ୍ରାଞ୍ଚ୍‌ ଟପ୍ପର, ଶାଖା-ଟପ୍ପର ପଦକ, ଏନ୍‌ଡାଓମେଣ୍ଟ୍‌ କ୍ୟାସ ଆୱାର୍ଡ ଓ ୧୧ ଜଣ ପୁରାତନ ଛାତ୍ରଙ୍କୁ ‘ବିଶିଷ୍ଟ ଆଲୁମନାସ୍ ପୁରସ୍କାର’ରେ ସମ୍ମାନିତ କରାଯିବ।

Leave A Reply

Your email address will not be published.