ସ୍ୱାଧୀନତା ଦିବସ ପରେଡ୍‌ ପାଇଁ ଟ୍ରାଫିକ୍‌ କଟକଣା

ସକାଳ ୬ ଟା ୩୦ରୁ ପରେଡ୍‌ ଶେଷ ଯାଏଁ ପ୍ରଦର୍ଶନୀ ପଡି଼ଆ ସିଲ୍

0

ଭୁବନେଶ୍ୱର,୧୩।୮: ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍‌ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସକାଳ ୬ ଟା ୩୦ରୁ ପରେଡ୍‌ ଶେଷ ଯାଏ ପ୍ରଦର୍ଶନୀ ପଡ଼ିଆ ଚାରିପାଖ ରାସ୍ତା ସିଲ୍‌ ରହିବ ବୋଲି ନିଷ୍ପତ୍ତି ନେଇଛି। ରାମ ମନ୍ଦିରରୁ ହାଉସିଂବୋର୍ଡ ଛକ ପର୍ଯ୍ୟନ୍ତ ସଂଲଗ୍ନ ସମସ୍ତ ଲେନ୍‌ ଓ ବାଇଲେନ୍‌ରେ କୌଣସି ଯାନବାହନ ଚଳାଚଳ କରିବନି।

ପରେଡ୍‌ ବେଳେ ଯଦି କେହି ହାଉସିଂବୋର୍ଡ ଛକରୁ ରାମମନ୍ଦିରକୁ ଯିବାକୁ ଚାହିଁବ, ଏମ୍‌ବିଏସ୍‌ ସ୍କୁଲ ଗଳି ରାସ୍ତା ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତାରେ ଯାଇପାରିବେ। ରାମମନ୍ଦିର ଛକ ପଟୁ ହାଉସିଂବୋର୍ଡ ଯିବା ପାଇଁ ସେଣ୍ଟ ଜୋସେଫ୍‌ ସ୍କୁଲ ଗଳି ରାସ୍ତା ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତାକୁ ଛୁଇଁପାରିବେ। ସେହିପରି ଲୋୟର ପିଏମଜି ଏବଂ କେଶରୀ ଟକିଜ ଦେଇ ଆସୁଥିବା ଗାଡି଼ ହୋଟେଲ ଚାର୍ଲି ରାସ୍ତା ଦେଇ ସଚିବାଳୟ ମାର୍ଗକୁ ଛଡ଼ାଯିବ। ଜରୁରୀକାଳୀନ ଗାଡି କେନ୍ଦ୍ରୀୟ ବିଦ୍ୟାଳୟ ଲେନ୍‌ରେ ଯିବା ଆସିବା କରିବ। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ଲାଗି ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଧୁସୂଦନ ମାର୍ଗରେ ଥିବା ହାଉସିଂ ବୋର୍ଡ, ରାମ ମନ୍ଦିର ରାସ୍ତା ସହ ପଡି଼ଆ ଚାରିପାଖରେ କେହି ବେଲୁନ୍‌ ବିକି ପାରିବେ ନାହିଁ। କେହି ନିୟମ ଖିଲାପ କଲେ, ଓଡି଼ଶା ସହରାଞ୍ଚଳ ଜିଲ୍ଲା ପୁଲିସ (ଓୟୁପି) ଆକ୍ଟର ସେକ୍ସନ ୯୬ ଅନୁସାରେ ୫୦୦ ଟଙ୍କା ନଚେତ୍‌, ସର୍ବାଧିକ ୧୦୦୦ ଟଙ୍କା ଜୋରିମାନା ଭରିବ।

ଭିଭିଆଇପି ଗାଡି଼ଗୁଡ଼ିକ ଗେଟ୍‌ ନମ୍ବର -୧ ଦେଇ ଡାହାଣ ପାଶ୍ୱର୍ ଫାଙ୍କା ସ୍ଥାନରେ ପାର୍କିଂ କରିବେ। ଭିଆଇପି ଓ ଅନ୍ୟ ଅତିଥିମାନଙ୍କ ଗାଡି଼ ଗେଟ୍‌ ନମ୍ବର-୨ର ବାମପାଶ୍ୱର୍ରେ ରହିବ। ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଗାଡି଼ ଗେଟ୍‌ ନମ୍ବର-୫ ଦେଇ ବାମ ପାଶ୍ୱର୍ରେ ରଖିପାରିବେ। ପରେଡ୍‌ରେ ଭାଗ ନେଇଥିବା ପୁଲିସ ଦଳ ଓ ପୁଲିସ ବାହିନୀର ଗାଡ଼ିଗୁଡ଼ିକ ଏମ୍‌ବିଏସ୍‌ ସ୍କୁଲ ଗଳି ଓ ସେଣ୍ଟ ଜୋସେଫ୍‌ ଗଳିରେ ରଖାଯିବ।

ଅନ୍ୟ ପକ୍ଷରେ ସମ୍ଭାବ୍ୟ ବର୍ଷା ପାଇଁ ଅଗ୍ନିଶମ ବାହିନୀ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି। କାରଣ ବର୍ଷା ହେଲେ କାଳେ କେଉଁଠି ପାଣି ଜମିବ ସେଥିପାଇଁ ସେମାନେ ପ୍ରଦର୍ଶନୀ ପଡ଼ିଆ ଭିତରେ ଓ ବାହାରେ ରହିବେ। ଦୁଇଟି ବଡ଼ ପମ୍ପ୍‌ ମଧ୍ୟ ସେଠାରେ ରହିବ।

 

Leave A Reply

Your email address will not be published.