ଭୁବନେଶ୍ୱର, ୧/୫: ଓଡ଼ିଶାର ସହରାଞ୍ଚଳ ଜଳ ସଂସ୍କାରର ସଫଳତା ଅନୁଧ୍ୟାନ କରିବା ପାଇଁ ଇନ୍ଦୋର ମ୍ୟୁନିସିପାଲ୍ କର୍ପୋରେସନ୍ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରିଛନ୍ତି। ଇନ୍ଦୋର ମ୍ୟୁନିସିପାଲ୍ କମିସନର କ୍ଷିତିଜ ସିଙ୍ଗଲଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳ ଉନ୍ନତି ଭବନଠାରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ସହ ଏକ ରଣନୈତିକ ପରାମର୍ଶ ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ମୁଖ୍ୟତଃ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ଅଭିଯାନର କାର୍ଯ୍ୟକାରିତା ଏବଂ ଓ୍ବାଟକୋ ଦ୍ୱାରା ପରିଚାଳିତ ୨୪x୭ ଜଳଯୋଗାଣ ବ୍ୟବସ୍ଥାର ସଫଳତା ଉପରେ ଗୁରୁତ୍ୱ ଦିଆଯାଇଥିଲା, ଯାହାକୁ ଇନ୍ଦୋରରେ ପ୍ରତିରୂପଣ କରିବା ପାଇଁ ପ୍ରତିନିଧି ଦଳ ଆଗ୍ରହ ପ୍ରକାଶ କରିଥିଲେ।
ଆଲୋଚନା ସମୟରେ ଶ୍ରୀମତୀ ପାଢ଼ୀ ଗୁରୁତ୍ୱାରୋପ କରିଥିଲେ ଯେ ଓଡ଼ିଶାର ଏହି ସହରାଞ୍ଚଳ ରୂପାନ୍ତରଣ ଉଭୟ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଏବଂ ସମ୍ପ୍ରଦାୟର ଗଭୀର ବିଶ୍ୱାସର ମିଳିତ ଭିତ୍ତିଭୂମି ଉପରେ ଗଢ଼ିଉଠିଛି। ଅନ୍ୟ ସହରଗୁଡ଼ିକରେ ଏଭଳି ନାଗରିକ-କେନ୍ଦ୍ରିତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସହରାଞ୍ଚଳ ଏକାଡେମୀ ପକ୍ଷରୁ ସମସ୍ତ ପ୍ରକାର ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ସହାୟତା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ। ସମ୍ପ୍ରଦାୟ-ଚାଳିତ ଶାସନ ଏବଂ ଉଚ୍ଚମାନର ବୈଷୟିକ ମାନକର ସମନ୍ୱୟ କିଭଳି ସ୍ଥାୟୀ ସେବା ପ୍ରଦାନ ପାଇଁ ଏକ ଜାତୀୟ ମାପଦଣ୍ଡ ସୃଷ୍ଟି କରିଛି, ସେ ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ସମୀକ୍ଷା ବୈଠକ ପୂର୍ବରୁ ଇନ୍ଦୋର ପ୍ରତିନିଧି ଦଳ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିଥିଲେ। ସେମାନେ ପ୍ରଥମେ ଦେଶର ପ୍ରଥମ ୨୪x୭ ପାନୀୟ ଜଳ ଯୋଗାଣ ସହର ପୁରୀ ଗସ୍ତ କରି ଜଳ ବିଶୋଧନ ପ୍ଲାଣ୍ଟ ପରିଦର୍ଶନ କରିବା ସହ ‘ଜଳ ସାଥୀ’ମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହି ଆଲୋଚନା ମାଧ୍ୟମରେ ସେମାନେ ବୁଝିବାକୁ ପାଇଥିଲେ ଯେ ସମ୍ପ୍ରଦାୟର ସକ୍ରିୟ ଅଂଶଗ୍ରହଣ କିଭଳି ଏହି ପ୍ରକଳ୍ପର ସ୍ଥାୟିତ୍ୱ ଏବଂ ଅନ୍ତର୍ଭୁକ୍ତୀକରଣ ସେବା ପ୍ରଦାନର ମୂଳଦୁଆ ସାଜିଛି।
ଭୁବନେଶ୍ୱରରେ ଏହି ଦଳ ସାଲିଆ ସାହି ବସ୍ତି ଅଞ୍ଚଳ ପରିଦର୍ଶନ କରି ସହରାଞ୍ଚଳର ଅନୌପଚାରିକ ବସତିଗୁଡ଼ିକରେ କିଭଳି ସମାନ ଭାବେ ସୁରକ୍ଷିତ ପାନୀୟ ଜଳ ଯୋଗାଇ ଦିଆଯାଉଛି, ତାହା ପ୍ରତ୍ୟକ୍ଷ କରିଥିଲେ। ଏଥିସହ ଅତ୍ୟାଧୁନିକ ‘ସ୍କାଡା’ ଭିତ୍ତିକ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ବୁଲି ଦେଖିବା ସହ ବାସ୍ତବ ସମୟରେ ଜଳର ଚାପ, ସ୍ମାର୍ଟ ମିଟରିଂ ଏବଂ ସ୍ୱୟଂଚାଳିତ ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ଇନ୍ଦୋର ମ୍ୟୁନିସିପାଲ୍ କମିସନର କ୍ଷିତିଜ ସିଙ୍ଗଲ ଓଡ଼ିଶା ମଡେଲର ଦକ୍ଷତାକୁ ପ୍ରଶଂସା କରିବା ସହ ଓ୍ବାଟକୋର ପରିଚାଳନା ନିର୍ଦ୍ଦେଶକ କହିଥିଲେ ଯେ ଜନସାଧାରଣଙ୍କ ସଚେତନତା ଓ ସହଭାଗିତା ହିଁ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ସ୍ୱପ୍ନକୁ ସାକାର କରିପାରିଛି। ଆଗାମୀ ଦିନରେ ଗୃହ ଓ ନଗର ଉନ୍ନୟନ ବିଭାଗ, ଓ୍ବାଟକୋ ଏବଂ ଇନ୍ଦୋର ମ୍ୟୁନିସିପାଲ୍ କର୍ପୋରେସନ୍ ମଧ୍ୟରେ ଏହି ସହଭାଗିତା ଜାରି ରହିବ ଏବଂ ଉଭୟ ପକ୍ଷ ନିଜ ନିଜର ଅନୁଭୂତି ଓ ଶିକ୍ଷାକୁ ବ୍ୟବହାର କରି ସୀମା ବାହାରେ ବିଭିନ୍ନ ସହରର ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ।
Comments are closed.