ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା -୪ରେ ୮ଟି ଜିଲ୍ଲା ପାଇଁ ୧୬୯୭.୦୪ କୋଟି ବ୍ୟୟରେ ୮୨୭ ସଡ଼କ ନିର୍ମାଣ ହେବ

ରାୟଗଡା, ୫/୧: ଗ୍ରାମ୍ୟ ସଡ଼କ ଯୋଜନାରେ ଓଡ଼ିଶା ନୂଆ ଉଦାହରଣ ସୃଷ୍ଟି କରିବ I ଆଗାମୀ ଦିନରେ ରାସ୍ତା  ଓ ସେତୁ  ନିର୍ମାଣ ହେଲେ  ଗର୍ଭବତୀ  ଓ  ପ୍ରସୂତି  ମହିଳା ଭାରରେ ଓ ଖଟରେ  ବୋହିବା  ଭଳି  ଦୃଶ୍ୟ  ଆଉ  ଦୃଶ୍ୟମାନ ହେବନି  ବୋଲି ମୁଖ୍ୟମନ୍ତ୍ରୀ ମୋହନ  ଚରଣ  ମାଝୀ  ରାୟଗଡାରେ  ମୁଖ୍ୟ ଅତିଥି  ରୂପେ  ଯୋଗଦେଇ କହିଛନ୍ତି  I କେବଳ  ରାସ୍ତା  ଉନ୍ନତି  ନୁହେଁ ଗ୍ରାମରେ  ଆବାସ, ପାନୀୟଜଳ ଓ ଆର୍ଥିକ ଉନ୍ନତି  ପାଇଁ  ଡବଲ  ଇଂଜିନ  ସରକାର  ପ୍ରତିଶ୍ରୁତିବଦ୍ଧ I ରାସ୍ତା କାର୍ଯ୍ୟରେ କୌଣସି ଅନିୟମିତତା ହେଲେ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି I

ରାୟଗଡା ଜିଲ୍ଲା ଧରିତ୍ରୀର ସ୍ୱର୍ଗ ଅଟେ, ଆମ ଡବଲ ଇଂଜିନ ସରକାର ଗ୍ରାମାଞ୍ଚଳରେ ବିକାଶପାଇଁ ସଂକଳ୍ପବଦ୍ଧ, ସଡ଼କ, ବାସଗୃହ ଓ ପାନୀୟଜଳ ମାଧ୍ୟମରେ ଆମେ ଲୋକଙ୍କ ପାଖରେ ପହଁଚିବୁ I ବିକଶିତ ଭାରତ ପାଇଁ ଗ୍ରାମର ବିକାଶ ହେବ, ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ପଷ୍ଟ ନିର୍ଦେଶ ରହିଛି ଏବଂ ଆମେ ସଂକଳ୍ପ ନେଇଛୁ ଓଡ଼ିଶାକୁ ଶ୍ରେଷ୍ଠ କରିବୁ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି I ଆଦିବାସୀଙ୍କ ସେବା ହିଁ ପ୍ରଭୁ ଜଗନ୍ନାଥଙ୍କ ସେବା I ଓଡ଼ିଶା ସରକାର ସବୁବର୍ଗର ଲୋକଙ୍କ ପାଇଁ ଆଖିଦୃଶିଆ କାର୍ଯ୍ୟ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ I ଅଗାମୀ ଦିନରେ କୃଷିର ଉନ୍ନତି ପାଇଁ ସମସ୍ତ ପ୍ରୟୋଗ ରାୟଗଡା ଜିଲ୍ଲାରେ ହେବ ଯାହା ଚାଷୀଙ୍କ ଆର୍ଥିକ ମାନଦଣ୍ଡ  ବୃଦ୍ଧି କରିବ I ଏ ଆଇ ଏଫ ଯୋଜନାରେ  ନୂତନ  ଗୋଦାମ ନିର୍ମାଣ ହେବ  ବୋଲି ଶ୍ରୀ  ଚୌହାନ କହିଥିଲେ I

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ର ସ୍ୱୀକୃତିପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ  ଶିବରାଜ ସିଂହ ଚୌହାନ ଯୋଗଦେଇ  ସଡ଼କ, ଆବାସଗୃହ ଓ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ  ରବି ନାରାୟଣ ନାୟକ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର  ସଡ଼କ ଭିତ୍ତିଭୂମି ଗ୍ରାମୀଣ ବିକାଶର ଏକ ମୌଳିକ ସ୍ତମ୍ଭ ସ୍ଥାପନ କରିବ । ରାୟଗଡ଼Iର ସ୍ଥାନୀୟ ଜେଏସକୋ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ଆପଲସ୍ୱାମୀ କାଦ୍ରାକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ,ବିଷମକଟକ ବିଧାୟକ ନୀଳମାଧଵ ହିକକା, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଯାମିନୀ ଷଡ଼ଙ୍ଗୀ,କେନ୍ଦ୍ରୀୟ ନିର୍ଦେଶିକା ରୀନା ଓ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମଂଚାସୀନ ଥିଲେ I   ୮ଟି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ତାଙ୍କର ରାୟଗଡ଼I ଗସ୍ତ କାର୍ଯ୍ୟକ୍ରମରେ ୮୨୭ଟି ନୂତନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା- ୪ର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ  l  ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ  ରବିନାରାୟଣ ନାଏକ  ରାୟଗଡ଼I ଜିଲ୍ଲାରେ ୨୭୪ଟି ରାସ୍ତା ନିର୍ମାଣ କରାଯିବ l ଏଥିପାଇଁ ୫୬୨. ୧୦କୋଟି ଟଙ୍କା ବ୍ୟୟ କରାଯିବ l ଏହି ସଡ଼କ ଯୋଗୁଁ ଜିଲ୍ଲାର ୩୧୪ଟି ଜନବସତି ଗ୍ରାମକୁ ଯୋଗାଯୋଗ ହୋଇପାରିବ ବୋଲି କହିବା ସହ  ଜିଲ୍ଲାରେ ନୂତନ ଭାବରେ ୫୫୨. ୨୧କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ l ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ରେ ରାୟଗଡ଼I ଜିଲ୍ଲା ଓଡ଼ିଶାରେ  ସର୍ବାଧିକ ପ୍ରକଳ୍ପ ରହିଛି l ଏହିଁ ଯୋଜନାରେ ରାଜ୍ୟର ଅର୍ଥନୈତିକ ଏବଂ ସାମାଜିକ ସେବାର ଉପଲବ୍ଧତାକୁ ସକ୍ଷମ କରିବା, କୃଷି ଆୟ ବୃଦ୍ଧି କରିବା, ଉତ୍ପାଦନଶୀଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିବ ।

ଏହି ଯୋଜନାରେ ପୂର୍ବରୁ ସଂଯୋଗ ହୋଇନଥିବା ଗ୍ରାମୀଣ ବସତିଗୁଡ଼ିକୁ ସବୁ ପାଣିପାଗରେ ଚାଲୁରହୁଥିବା ରାସ୍ତା ସହ ସଂଯୋଗ କରିବ ବୋଲି ସୂଚନା  ଦେଇଥିଲେ। ସାମାଜିକ-ଆର୍ଥିକ ପରିବର୍ତନର ଏକ ପ୍ରମୁଖ ବାହକ ଭାବରେ ବିକଶିତ ହୋଇଛି, ଯାହା ବଜାର ସମନ୍ୱୟକୁ ସୁଦୃଢ଼ କରିଛି, କୃଷକମାନଙ୍କ ପାଇଁ ସୁଲଭ ମୂଲ୍ୟ ପ୍ରାପ୍ତିକୁ ସହଜ କରିଛି ଏବଂ କୃଷି ଓ ଅଣ-କୃଷି ଜୀବିକାକୁ ସମର୍ଥନ କରିଛି। ସାମୂହିକ ଭାବରେ, ଏହି ଫଳାଫଳଗୁଡ଼ିକ ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ଗ୍ରାମୀଣ ବିକାଶକୁ ଆଗକୁ ବଢ଼ାଇବାରେ କାର୍ଯ୍ୟକ୍ରମର କେନ୍ଦ୍ରୀୟ ଭୂମିକାକୁ ଦର୍ଶାଉଛି ବୋଲି  ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ କହିଛି l

ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଗୁଣପୁର ଉପଜିଲ୍ଲାପାଳ ଦିଲୀପ  ଅଭିଷେକ ଦୁଧIଲ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ I ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୩୦ କୋଟି, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୩୦ କୋଟି ଟଙ୍କା ବ୍ୟୟରେ ନୂଆ ଯୋଜନାର ଘୋଷଣା କରିଥିଲେ ଯାହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ I ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ସଚିବ ଯାମିନୀ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଧନ୍ୟବାଦ ଅର୍ପଣ କରିଥିଲେ I

 

Comments are closed.