ପ୍ଲାଜମା ଦାନକାରୀଙ୍କୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି

ଭୁବନେଶ୍ବର, ୫।୫: ଆନ୍ଧ୍ରପ୍ରଦେଶ ସରକାର କୋଭିଡ ସମୟରେ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ପ୍ଲାଜମା ଦାନକାରୀଙ୍କୁ ସରକାର ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ। ଏହାସହ କୋଭିଡ ସଂକ୍ରମଣରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ। ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ ବର୍ତମାନ ରାଜ୍ୟରେ ୩୭ ହଜାର ଲୋକ ପ୍ଲାଜମା ଦାନ କରିବା ଭଳି ସ୍ଥିତିରେ ଅଛନ୍ତି। କୋଭିଡ ସଂକ୍ରମଣଙ୍କ ଚିକିତ୍ସା ପାଇଁ ପ୍ଲାଜମା ଆବଶ୍ୟକ ପଡୁଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ପ୍ଲାଜମା କ୍ୟାମ୍ପ କରି ପ୍ଲାଜମା ସଂଗ୍ରହ କରାଯାଉଛି । ଏହାସହ ପ୍ଲାଜମା ଦାନପ୍ରତି ଲୋକଙ୍କର ଆଗ୍ରହ ସୃଷ୍ଟି କରିବାକୁ ଏଭଳି କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆନ୍ଧ୍ର ସ୍ୱାସ୍ଥ୍ୟ ଆୟୁକ୍ତ କଟନେନୀ ଭାସ୍କର କହିଛନ୍ତି କି ପ୍ଲାଜମା ଦାନକାରୀଙ୍କ ସୂଚୀ ପ୍ରସ୍ତୁତ କରାଯାଉଛି। ଏହାସହ ପ୍ଲାଜମା ସଂଗ୍ରହ ଓ ତାକୁ ଷ୍ଟୋରେଜ କରିବା ପାଇଁ ବ୍ଲଡବ୍ୟାଙ୍କ ସହିତ ଯୋଗାଯୋଗ କରାଯାଉଛି। ଏହାସହ ସେ ଆହୁରି କହିଛନ୍ତି କି, ସ୍ୱାସ୍ଥ୍ୟ ବିଭାଗର କଲସେଣ୍ଟର କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ପ୍ଲାଜମା ଦାନ କରିବାକୁ ଅନୁରୋଧ କରୁଛି ।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦,୦୩୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧,୮୪,୦୨୮ ରେ ପହଂଚିଛି । ଏହାସହ ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ସଂକ୍ରମଣରେ ୮୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୮,୨୮୯ କୁ ବୃଦ୍ଧି ପାଇଛି ।

Comments are closed.