କଟକ, ୫/୫: ଏଣିକି ନିଜ ନିଜ ଅଞ୍ଚଳରେ ଦୁର୍ଘଟଣା, ଟ୍ରାଫିକ୍ ଆଦିକୁ ନେଇ ସଡ଼କ ପରିବହନ ଅଧିକାରୀ (ଆର୍ଟିଓ)ଙ୍କ କାର୍ଯ୍ୟଦକ୍ଷତାର ମାନକ ନିର୍ଦ୍ଧାରଣ କରାଯିବ। ଏଣୁ ସଡ଼କ ସୁରକ୍ଷାକୁ ପ୍ରମୁଖତା ଦେଇ କାର୍ଯ୍ୟ କରିବାକୁ ରାଜ୍ୟର ସମସ୍ତ ଆର୍ଟିଓଙ୍କୁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି।
ମଙ୍ଗଳବାର, ରାଜ୍ୟ ପରିବହନ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପ ପରିବହନ ଆୟୁକ୍ତ (ଡିସିଟି), ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ଓ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଏଆରଟିଓ) ଯୋଗଦେଇଥିଲେ।
ବୈଠକରେ, ଦୈନିକ ବୃଦ୍ଧି ପାଉଥିବା ଦୁର୍ଘଟଣା ସଂଖ୍ୟାରେ ଚିନ୍ତା ପ୍ରକଟ କରି ପରିବହନ କମିସନର ଅମିତାଭ ଠାକୁର କହିଥିଲେ, ଏହାକୁ ହ୍ରାସ କରିବା ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେଣୁ ସମସ୍ତ ଆରଟିଓଙ୍କୁ ’ଗ୍ରାଉଣ୍ଡ ଜିରୋ’ରେ ଏ ଦିଗରେ ବ୍ୟାପକ କାର୍ଯ୍ୟ କରିବାକୁ ହେବ । ଅନେକ ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ମାନୁନାହାନ୍ତି । ମନଇଚ୍ଛା ଗାଡ଼ି ଚଲାଉଛନ୍ତି । ଆଉ ନିଜ ସହ ଅନ୍ୟମାନଙ୍କ ଜୀବନ ମଧ୍ୟ ନେଇଯାଉଛନ୍ତି । ଏହାକୁ ରୋକିବାକୁ ହେଲେ ଯୋଜନା ଭିତ୍ତିରେ ଏନଫୋର୍ସମେଣ୍ଟ କରିବାକୁ ହେବ ବୋଲି ଶ୍ରୀ ଠାକୁର କହିଛନ୍ତି । ବିଶେଷକରି, ମଦ୍ୟପାନ କରି ଗାଡ଼ି ଚଲାଇବା, ମାଲବାହୀ ଗାଡ଼ିରେ ଯାତ୍ରୀ ନେବା, ରାଜପଥରେ ଅବୈଧ ପାର୍କିଂ କରିବା, ମନଇଚ୍ଛା ଗାଡ଼ିର ଆକାରରେ ପରିବର୍ତ୍ତନ କରି ଭାରସାମ୍ୟ ହରାଇବା, ଗାଡ଼ି ଚଲାଇବା ବେଳେ ମୋବାଇଲ ବ୍ୟବହାର କରିବା ଭଳି ନିୟମ ଉଲ୍ଲଙ୍ଘନକୁ ରୋକିବାକୁ ହେବ। ଏହା ବ୍ୟତୀତ ପ୍ରତି ଜିଲ୍ଲାସ୍ତରରେ ସଡ଼କ ସୁରକ୍ଷା ପାଇଁ ଯେଉଁ ଯେଉଁ ଆହ୍ୱାନ ରହିଛି, ପ୍ରତି ବିଭାଗର ସମନ୍ୱୟ ତଥା ଜିଲ୍ଲା ପ୍ରଶାସନର ସହଯୋଗରେ ଏହାର ସମାଧାନ କରିବାକୁ ହେବ ।
ସେହିଭଳି ଆରଟିଓମାନଙ୍କ ଦକ୍ଷତା ରିପୋର୍ଟରେ ଆଗକୁ ସଡ଼କ ସୁରକ୍ଷା ଦିଗରେ କାର୍ଯ୍ୟର ମଧ୍ୟ ଏକ ବିଶେଷ ଭୂମିକା ରହିବ ବୋଲି ସେ ସୂଚାଇ ଦେଇଛନ୍ତି । ଏହାସହ ପରିବହନ ସମ୍ୱନ୍ଧୀୟ ସେବା ପ୍ରଦାନରେ ଗତବର୍ଷ କେଉଁ ଆରଟିଓଙ୍କ ପ୍ରଦର୍ଶନ କିଭଳି ରହିଥିଲା, ତାହାର ମଧ୍ୟ ସମୀକ୍ଷା କରାଯାଇଥିଲା ।
ଏହି ଅବସରରେ ସଡ଼କ ସୁରକ୍ଷା କ୍ଷେତ୍ରରେ ବିଭାଗ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ପରବହନ କ୍ଷେତ୍ରରେ ସଂସ୍କାର ସଂପର୍କରେ ମଧ୍ୟ ପରିବହନ ଆୟୁକ୍ତ ସୂଚନା ପ୍ରଦାନ କରିଥିଲେ । ବିଶେଷକରି, ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ସଂସ୍କାର, ଗାଡ଼ିର ଫିଟନେସରେ ସ୍ୱଚ୍ଛତା ଓ ବେପରୁଆ ଗାଡ଼ି ଚାଳକଙ୍କୁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ନିୟନ୍ତ୍ରଣ କରିବା ଦିଗରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଯାତ୍ରୀବାହି ଯାନ ଗୁଡ଼ିକ ଯେପରି ଯାତ୍ରୀ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବେ ଏ କ୍ଷେତ୍ରରେ ଆରଟିଓମାନେ କଡ଼ା ନଜର ରଖିବେ। ଏହାସହ, ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନର ଉଚିତ୍ ସମୀକ୍ଷା କରି ସୁଧାର ଦିଗରେ ପ୍ରୟାସ କରିବାକୁ କୁହାଯାଇଛି।
Comments are closed.