ଭୁବନେଶ୍ୱର, ୫/୫: ଚଳିତ ବର୍ଷ ଅପ୍ରିଲ୍ ୨୮ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ବିଜୁଜନତା ଦଳ ଅଭିଯୋଗ କରିଥିଲା। ଏହି ପ୍ରସଙ୍ଗକୁ ନେଇ ଖୁବ୍ଶୀଘ୍ର ବିଜେଡିର ଏକ ପ୍ରତିନିଧି ଦଳ ଦେଶର ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କୁ ଭେଟିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ଦଳ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି, ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ, ଡ ସସ୍ମିତ ପାତ୍ର ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ୨୮ ଏପ୍ରିଲ ୨୦୨୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଧାୟିକା ଉପାସନା ମହାପାତ୍ର, ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଅବୈଧ ଭାବେ ଦ୍ୱିତୀୟ ବାଲାଟ ପେପର ଦିଆଯିବାକୁ ନେଇ ଅଭିଯୋଗ ପତ୍ର ଦାଖଲ କରିଥିଲେ ।
ଏହାପରେ ଭାରତ ନିର୍ବାଚନ ଆୟୋଗର ଅଣ୍ଡର ସେକ୍ରେଟାରୀ ଶ୍ରୀ ରାଜେନ୍ଦ୍ର କୁମାର ସିଂହ ୨୯ ଏପ୍ରିଲ ୨୦୨୬ରେ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ପତ୍ର ଲେଖି, ବିଜେଡି ପ୍ରତିନିଧି ଦଳ ସହିତ ଏହି ବିଷୟରେ ତ୍ୱରିତ ଆଲୋଚନା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ୧୧ ମଇ ୨୦୨୬ ତାରିଖ ସକାଳ ୧୧ଟାରେ ବିଜେଡି ପ୍ରତିନିଧି ଦଳ ସହିତ ବୈଠକ ପାଇଁ ସମୟ ନିର୍ଦ୍ଧାରଣ କରିଛନ୍ତି । ଏହି ପ୍ରତିନିଧି ଦଳରେ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ଓ ପୋଲିଂ ଏଜେଣ୍ଟ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପମୁଖ୍ୟ ସଚେତକ ଦଳର ଅଧିକୃତ ଏଜେଣ୍ଟ ପ୍ରତାପ ଦେବ, ବିଧାୟକ ଓ କାଉଣ୍ଟିଂ ଏଜେଣ୍ଟ୍ ଡ ଅରୁଣ କୁମାର ସାହୁ, ସାଂସଦ ଓ କାଉଣ୍ଟିଂ ଏଜେଣ୍ଟ ଡ ସସ୍ମିତ ପାତ୍ର ଅଛନ୍ତି।
ଦଳ ପକ୍ଷରୁ କୁହାଯାଇଛି ଯେ ପୁଣିଥରେ ଏହି ଅନିୟମିତତାରେ ତ୍ୱରିତ ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ, ନିରପେକ୍ଷ ଏବଂ ପାରଦର୍ଶୀ ତଦନ୍ତ ଦାବି କରୁଛି, ଯାହା ନିର୍ବାଚନ ପ୍ରକ୍ରିୟାର ପବିତ୍ରତାକୁ ରକ୍ଷା କରିବ । ଦଳ ସଦାସର୍ବଦା ଲୋକତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷା ଓ ନିର୍ବାଚନୀ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ ପାଇଁ ଗୁରୁତ୍ୱ ଦେଇଆସିଛି ।
Comments are closed.