ଭୁବନେଶ୍ବର, ୨୮/୧୧: ବଲିଉଡ୍ ଚଳଚ୍ଚିତ୍ର ‘ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳଚ୍ଚିତ୍ର ‘ସାବରମତୀ ରିପୋର୍ଟ’ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି। କିଛି ସ୍ଵାର୍ଥବାଦୀ ବ୍ୟକ୍ତିଙ୍କ ନିଜସ୍ୱ ସ୍ଵାର୍ଥ ପୂରଣ ଏବଂ ଅସ୍ଥିରତା ସୃଷ୍ଟି ପାଇଁ ଗୋଧ୍ରା ଅଗ୍ନିକାଣ୍ଡରେ କିଭଳି ଭାବରେ କାରସେବକଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ର ଅତୀତର ଏଭଳି ଏକ ଲୋମହର୍ଷଣକାରୀ, ହୃଦୟ ବିଦାରକ ସତ୍ୟ ଘଟଣାକୁ ଲୋକଙ୍କ ନିକଟରେ ପହଞ୍ଚାଇବ ଏବଂ ସାଧାରଣ ଜନତା ଅଧିକ ସଚେତନ ହେବେ।
ରାଜ୍ୟ ସରକାର ’ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିବା ପରେ ଚଳଚ୍ଚିତ୍ର ପ୍ରଯୋଜିକା ତଥା ବାଲାଜୀ ଟେଲିଫିଲ୍ମର କ୍ରିଏଟିଭ୍ ନିର୍ଦ୍ଦେଶକ ଏକତା ଆର କପୁର ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆର ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଗୁଜରାଟର ଗୋଧ୍ରା ରେଳ ଷ୍ଟେସନ ନିକଟରେ ୨୦୦୨ ଫେବ୍ରୁଆରି ୨୭ ତାରିଖରେ ଏକ ଅଗ୍ନିକାଣ୍ଡ ଘଟିଥିଲା। ଅଯୋଧ୍ୟାରୁ ଆସିଥିବା ସାବରମତୀ ଏକ୍ସପ୍ରେସ୍ ଟ୍ରେନ୍ରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୬୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଥିଲା। ଏବେ ଏହି ଘଟଣାକୁ ନେଇ ‘ସାବରମତୀ ରିପୋର୍ଟ’ ଫିଲ୍ମଟି ନିର୍ମାଣ ହୋଇଛି। ଏକତା କପୁର, ଶୋଭା କପୁର ଓ ଅମୂଲ ଭି ମୋହନଙ୍କ ଦ୍ବାରା ପ୍ରଯୋଜିତ ତଥା ଧୀରଜ ସରଣଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଗତ ୧୫ ତାରିଖ ଦିନ ସିନେମା ହଲ୍କୁ ଆସିଛି। ଏହି ଫିଲ୍ମରେ ବିକ୍ରାନ୍ତ ମେସି, ରସ୍ସି ଖନ୍ନା ଓ ରିଦ୍ଧି ଡୋଗ୍ରା ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।