ଏଥର ବି ବିନା ଭକ୍ତରେ ସରିବ ପାର୍ବଣ ଋତୁ
ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଆଦି ପାଇଁ ଜାରି ହେଲା ଗାଇଡଲାଇନ୍
ଭୁବନେଶ୍ବର, ୯।୮: ଗତବର୍ଷ ଭଳି ଏ ବର୍ଷ ବି ବିନା ଭକ୍ତରେ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଅନୁଷ୍ଠିତ ହେବ। ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର ମାର୍ଗଦର୍ଶିକା ଜାରି କରିଛନ୍ତି। ଏହାଛଡ଼ା ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ପଡ଼ୁଥିବା ସବୁ ପାର୍ବଣ ଲାଗି ଏହି ନିୟମ ଲାଗୁ ହେବ। ସବୁ ପୂଜା ମଣ୍ଡପରେ ୪ ଫୁଟରୁ କମ୍ ଉଚ୍ଚତାରେ ହେବ ମୂର୍ତ୍ତି। ପୂଜା ମଣ୍ଡପ ତିନି ପଟରୁ ସମ୍ପୂର୍ଣ୍ଣ ଆବଦ୍ଧ ହେବ। ସାମ୍ନା ପଟରୁ ଏମିତି ଆବଦ୍ଧ ହେବ ଯେମିତି ଦର୍ଶନ କରିବେନି ଭକ୍ତ। କର୍ତ୍ତା, ପୁରୋହିତ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମିଶାଇ ୭ ଜଣଙ୍କୁ ଅନୁମତି ମିଳିବ। ମଣ୍ଡପରେ ପୂଜା ପାଇଁ ଅନୁମତି ଜରୁରୀ ଓ କୌଣସି ପ୍ରକାରର ସାଜସଜ୍ଜାକୁ ବାରଣ କରାଯାଇଛି। କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ। ତେବେ ସୀମିତ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ଲାଗି ଅନୁମତି ଦିଆଯାଇଛି।
ଏହାଛଡ଼ା କୋଭିଡ୍ ନିୟମ ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ। ଏହି ଅବସରରେ ଭୋଜିଭାତକୁ ବି ବାରଣ କରାଯାଇଛି। କୌଣସି ସ୍ଥାନରେ ଏହି ଅବସରରେ କୌଣସି ପ୍ରକାରର ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ ନାହିଁ। ଏହାଛଡ଼ା ଭସାଣି ଯାତ୍ରାକୁ ବି ଅନୁମତି ନାହିଁ। ଏହି ସବୁ ନିୟମକୁ କଡ଼ାକଡ଼ି ଭାବେ ପାଳନର ତଦାରଖ ଲାଗି ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନର ଓ କଟକ-ଭୁବନେଶ୍ବର କମିସନରେଟ୍ ପୁଲିସକୁ ଦାୟିତ୍ବ ଦିଆଯାଇଛି ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।
Comments are closed.