ରାଉରକେଲା, ୨୮/୮: ତୀବ୍ର ହେବାରେ ଲାଗିଛି ସୁନ୍ଦରଗଡ଼ ବିଜେପି ରାଜନୀତି | ସର୍କିଟ୍ ହାଉସ୍ରୁ ବନ୍ଧୁକ ଓ ଗୁଳି ସହ ପେସାଦାର ଅପରାଧୀ ଗିରଫ ଘଟଣାରେ ସମ୍ପୃକ୍ତ ଥିବା ନିଲମ୍ବିତ ବିଜେପି ଯୁବନେତା ତଥା ସୁନ୍ଦରଗଡ଼ ସାଂସଦଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶୱାନଙ୍କୁ ଗିରଫ କରାଯାଇଛି | ଏହାକୁ ନେଇ ରାଉରକେଲା ସହରରେ ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ନିଜ ଦଳର କିଛି ନେତାଙ୍କ ଉପରେ ଦୋଷ ଲଦିଛନ୍ତି | ସେ କହିଛନ୍ତି ଯେ କିଛି ଲୋକ ଟଙ୍କା ଖର୍ଚ୍ଚ କରି ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି | ସେହି ଲୋକମାନେ ମୋର ନାମରେ ଅପପ୍ରଚାର ଚଳାଇଛନ୍ତି ଓ ଭାବୁଛନ୍ତି ଯେ ଜୁଏଲ ଓହରିଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ମିଳିଯିବ | କିନ୍ତୁ ମୁଁ ରକ୍ତ, ମାଂସ ଦେଇ ଏହି ଦଳକୁ ଗଢ଼ିଛି | ଦଳ ବି ମୋତେ ଯେଉଁ ସ୍ଥାନ ଦେଇଛି ତାହା ଯଥେଷ୍ଟ | ସେହିପରି ମୋର ସମ୍ମାନକୁ ଯଦି କେହି ହାତ ଲଗାଇବେ ସେହି ହାତକୁ କାଟି ଫିଙ୍ଗିଦେବାର ଶକ୍ତି ମୋ ପାଖେ ଅଛି | ମୁଁ ଚ୍ୟାଲେଞ୍ଜ ଦେଉଛି ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ ବୋଲି କହିଥିଲି, କିନ୍ତୁ ମୁଁ ଆଉ ଠାରେ ନିର୍ବାଚନ ଲଢ଼ିବି | ଅନ୍ୟ ଦଳରୁ ଆସି ଆମ ଦଳରେ ମିଶି ଟଙ୍କା ଖର୍ଚ୍ଚ କରି ମୋତେ ହଟାଇବାକୁ ଚେଷ୍ଟା କରୁଛନ୍ତି, ତାହାକୁ ମୁଁ ନିନ୍ଦା କରୁଛି | ମୋ ଭଳି ଆଦିବାସୀ ନେତାକୁ ଯିଏ ଅପଦସ୍ଥ କରିବାକୁ ଚାଁହୁଛି ତାଙ୍କୁ ଜାଳିକରି ସଫା କରିଦେବି ବୋଲି କହିଛନ୍ତି |
ଉଲ୍ଲେଖ ଥାଉ କି ଗତ ୧୪ ତାରିଖରେ ସର୍କିଟ୍ ହାଉସ୍ରୁ ବନ୍ଧୁକ ଓ ୧୧ଟି ଜୀବନ୍ତ ଗୁଳି ସହ ଅପରାଧୀ ଗିରଫ ଘଟଣାରେ ପ୍ରକାଶର ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କୁ ଧରିବାକୁ ତନାଘନା କରୁଥିଲା। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରକାଶ ପେସାଦାର ଅପରାଧୀମାନଙ୍କୁ ନେଇ ଏକ ଗ୍ୟାଙ୍ଗ ଗଠନ କରି ବାଲିମାଫିଆଙ୍କ ଠାରୁ ବେଆଇନ ବଟି ଆଦାୟ କରିବା ସହ ରାଉରକେଲା ସହରରେ ଟେଣ୍ଡର ଫିକ୍ସିଂ କାରବାରରେ ଜଡ଼ିତ ଥିଲେ। ଏଭଳି କାଣ୍ଡ ସେ ବର୍ଷବର୍ଷ ଧରି କରିଆସୁଥିବାବେଳେ ଅପରାଧୀଙ୍କୁ ଗୁଳିବନ୍ଧୁକ ଦେଇ ଲୋକଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ ଥିଲା ମୁଖ୍ୟ ଉଦ୍ଦେଶ୍ୟ। ଏମିତି କି ଗୋଚାଲାଣକାରୀଙ୍କୁ ସୁରକ୍ଷା ଦେଉଥିବା କଥା ମଧ୍ୟ ସହରବ୍ୟାପୀ ଚର୍ଚ୍ଚା ହେଉଛି। ପ୍ରକାଶଙ୍କୁ କିଏ ଦେଉଥିଲା ସୁରକ୍ଷା, ରାଜନୈତିକ ଓ ପ୍ରଶାସନିକସ୍ତରରେ କେଉଁମାନେ କରୁଥିଲେ ସହଯୋଗ ସେ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ପୁଲିସ ଖୋଜୁଛି ।