ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ସୁରେଶ ମହାପାତ୍ର

ଭୁବନେଶ୍ବର, ୧।୧:  ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ କୁମାର ମହାପାତ୍ର। ୧୯୮୬ ବ୍ୟାଚ୍‌ର ଆଇଏଏସ୍ ଅଫିସର ଶ୍ରୀ ମହାପାତ୍ରଙ୍କୁ ଡିସେମ୍ବର ୨୫ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ଗତକାଲି ଅସିତ କୁମାର ତ୍ରିପାଠୀ ଅବସର ନେବା ପରେ ଆଜି ସେ ଏହି ଦାୟିତ୍ୱ ନେଇଛନ୍ତି। ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବା ପରେ ସୁରେଶ ମହାପାତ୍ର କହିଛନ୍ତି, ନୂଆ ବର୍ଷରେ ଓଡ଼ିଶାବାସୀଙ୍କ ଜୀବନ ସୁଖପ୍ରଦ ଓ ମଙ୍ଗଳମୟ ହେଉ। ଏଥିପାଇଁ ମୁଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଦୃଷ୍ଟି ଦିଆଯିବ। ଯେଉଁ ପ୍ରୋଜେକ୍ଟ ଓ ସ୍କିମ୍‌ଗୁଡ଼ିକୁ ଆରମ୍ଭ କରାଯାଇଛି, ସେଗୁଡ଼ିକୁ କେମିତି ଅଧିକ ତ୍ୱରାନ୍ୱିତ କରାଯାଇପାରିବ, ସେଥିପ୍ରତି ଦୃଷ୍ଟି ଦିଆଯିବ।

ସୂଚନାଯୋଗ୍ୟ, ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି। ସେ ଏକାଧିକ ଜିଲ୍ଲାର ଜିଲ୍ଲାପାଳ ରହିଥିଲେ। ସେ ଜଳ ସଂପଦ, ଜଙ୍ଗଲ ଓ ପରିବେଶ, ଶକ୍ତି, ଗୃହ, କୃଷି ଓ ଶିଳ୍ପ ଭଳି ପ୍ରମୁଖ ବିଭାଗ ଗୁଡ଼ିକରେ କାର୍ଯ୍ୟ କରିଛନ୍ତି। ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରିବା ସହିତ ବହୁ ସମୟ ଧରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମଧ୍ୟ ତୁଳାଇଛନ୍ତି। ନୂଆ ଉନ୍ନୟନ କମିଶନର ଭାବେ ନିଯୁକ୍ତି ପାଇଥିବା ୧୮୮୯ ବ୍ୟାଚ୍‌ର ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା ମଧ୍ୟ ଆଜି ତାଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି।   ଅନ୍ୟପକ୍ଷରେ ଚାକିରିରୁ ଅବସର ନେଇଥିବା ଅସିତ କୁମାର ତ୍ରିପାଠୀଙ୍କୁ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।

Comments are closed.