ବିଳମ୍ବ ହେବ ସିବିଏସଇ ଦଶମ ପରୀକ୍ଷା ଫଳ

0

ଭୁବନେଶ୍ବର, ୧୯।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହେବ। ପୂର୍ବରୁ ଜୁନ୍‌ ତୃତୀୟ ସପ୍ତାହରେ ଦଶମ ଫଳ ପ୍ରକାଶ ପାଇବ ବୋଲି ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ସାନମ୍‌ ଭରଦ୍ୱାଜ କହିଥିଲେ। ମାତ୍ର ଏବେ ସିବିଏସଇ ଦଶମ ମାର୍କ ଅପଲୋଡ୍‌ ଓ ଅନ୍ୟାନ୍ୟ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଦଶମ ମାର୍କ ଟାବୁଲେସନ ପ୍ରକ୍ରିୟା ଜୁନ୍‌ ୩୦ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସିବିଏସ୍‌ଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଫଳରେ ମାର୍କିଂ ପ୍ରକ୍ରିୟା ବିଳମ୍ବ ହେବା ସହିତ ପିଲାଙ୍କ ଫଳ ମଧ୍ୟ ବିଳମ୍ବରେ ପ୍ରକାଶ ପାଇବ । ଜୁଲାଇରେ ଫଳ ପ୍ରକାଶ ପାଇବାରେ ବୋଲି ଆଶା କରାଯାଉଛି।

କରୋନାର ସଂକ୍ରମଣ ସ୍ଥିତି ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋର୍ଡ ତାରିଖରେ ପରିବର୍ତ୍ତନ କରିଥିବା କୁହାଯାଇଛି। ବୋର୍ଡ ଦର୍ଶାଇଛି ଯେ ସ୍କୁଲ କର୍ତ୍ତୃପକ୍ଷଙ୍କ ଲାଗି ମାର୍କ ଅପଲୋଡ୍‌ ପାଇଁ ପୋର୍ଟାଲ ମେ’ ୨୦ ତାରିଖରୁ ଉପଲବ୍ଧ ହେବ। ସେହିପରି ସ୍କୁଲ କର୍ତ୍ତୃପକ୍ଷ ଜୁନ୍‌ ୩୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମାର୍କ ଅପଲୋଡ କରିବେ। ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍‌ ଆସେସମେଣ୍ଟ୍‌ ମାର୍କ ଜୁନ୍‌ ୩୦ ମଧ୍ୟରେ ଅପଲୋଡ୍‌ କରିବା ଲାଗି ବୋର୍ଡ ସ୍କୁଲଗୁଡ଼ିକ ନିର୍ଦ୍ଦେଶ ଦେଇଛି। ଏଥିଲାଗି ନିଷ୍ପତ୍ତି ରେଜଲ୍ଟ କମିଟି ଗ୍ରହଣ କରିବ।

ସୂଚନାଯୋଗ୍ୟ, କରୋନା ଯୋଗୁ ସିବିଏସ୍‌ଇ ବୋର୍ଡର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ୍‌ କରାଯାଇଥିବା ବେଳେ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରିବା ନେଇ ବୋର୍ଡ ବିଜ୍ଞପ୍ତି ଜାରି କରିଥିଲା। ଚଳିତ ମାସ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ମାର୍କିଂ ପ୍ରକ୍ରିୟା ସ୍କୁଲ ସ୍ତରରେ ସାରିବା ପାଇଁ ବୋର୍ଡ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଥିଲା। ମାତ୍ର ଦେଶରେ ବର୍ତ୍ତମାନ କରୋନାର ଉତ୍କଟ ସ୍ଥିତିରେ ଶିକ୍ଷକମାନଙ୍କ ସୁରକ୍ଷା ଲାଗି ବୋର୍ଡ ତାରିଖରେ ପରିବର୍ତ୍ତନ କରିଥିବା ଦର୍ଶାଇଛି। ଜୁନ୍‌ ଶେଷ ସୁଦ୍ଧା ମାର୍କ ଦାଖଲ ଲାଗି ବୋର୍ଡ ସିବିଏସଇ ଅନୁବନ୍ଧିତ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ସେହିପରି ଅନ୍ୟାନ୍ୟ ପ୍ରକ୍ରିୟା ପାଇଁ ତାରିଖ ନିଷ୍ପତ୍ତି ରେଜଲ୍ଟ କମିଟି ଗ୍ରହଣ କରିବ ବୋଲି ବୋର୍ଡ ବିଜ୍ଞପ୍ତିରେ ଉଲ୍ଲେଖ କରିଛି ।

 

Leave A Reply

Your email address will not be published.