ପଞ୍ଚାୟତ ନିର୍ବାଚନରେ ବିଜେଡି ଦେବ ୨୭% ଓବିସି ପ୍ରାର୍ଥୀ

0

ଭୁବନେଶ୍ବର,୧୩/୮ : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଅତି କମ୍‌ରେ ପଛୁଆ ବର୍ଗରୁ ୨୭% ପ୍ରାର୍ଥୀ ଦେବ ବୋଲି ଦଳ ଘୋଷଣା କରିଛି। ଦଳର ବରିଷ୍ଠ ନେତା ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ‌ଦେଇ କହିଲେ, କେବଳ ପଞ୍ଚାୟତ ନିର୍ବାଚନ ନୁହେଁ, ପରବର୍ତ୍ତୀ ନିର୍ବାଚନରେ ମଧ୍ୟ ବିଜେଡି ୨୭% ପଛୁଆବର୍ଗ ପ୍ରାର୍ଥୀ ଦେବ। ଅଦାଲତ କଟକଣା, କେନ୍ଦ୍ରୀୟ ଆଇନ ନ ଥିବାରୁ ଏଭଳି ରାଜ‌ନୈତିକ ନିଷ୍ପତ୍ତି ନିଆଯାଇଛି। ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ଠିକ୍ ପରିସଂଖ୍ୟାନ ଅଭାବରୁ ସୁପ୍ରିମକୋର୍ଟ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସୀମିତ ରଖିବା ପାଇଁ ବାଧ୍ୟ କରୁଛନ୍ତି। ତେଣୁ ପଛୁଆବର୍ଗଙ୍କ ସଂଖ୍ୟାର ଠିକ୍ ଆକଳନ ପାଇଁ ଜାତିଭିତ୍ତିକ ଜନଗଣନା କରାଗଲେ ତାହାକୁ ଭିତ୍ତି କରି ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ନ୍ୟାୟାଳୟମାନେ କୌଣସି ଅଙ୍କୁଶ ଲଗାଇପାରିବେ ନାହିଁ। ସଂରକ୍ଷଣ ସୀମା ୫୦% ସୀମିତ ଥିବା ଏବଂ ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ପ୍ରାୟ ୩୯% ଥିବାରୁ ପଛୁଆବର୍ଗଙ୍କୁ ମାତ୍ର ୧୧.୨୫% ସଂରକ୍ଷଣ ମିଳୁଛି। ରାଜ୍ୟ ସରକାରଙ୍କ ପଛୁଆବର୍ଗ ଆଇନ-୨୦୦୮ରେ ସାମାଜିକ ଓ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି। କିନ୍ତୁ ବିଭିନ୍ନ ନ୍ୟାୟାଳୟର ଆଦେଶ ଦୃଷ୍ଟିରୁ ଏହି ୨୭% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ। ରାଷ୍ଟ୍ରପତିଙ୍କ ଦ୍ବାରା ଘୋଷିତ ଓବିସି ତାଲିକା ଅନୁସାରେ ସରକାରୀ ଚାକିରି ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି। ରାଜ୍ୟଗୁଡ଼ିକ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ତାଲିକା ପ୍ରସ୍ତୁତି କରୁଥିଲେ ଓ ଏବେ ମଧ୍ୟ କରିପାରିବେ। କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାଗୁଡ଼ିକରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି। ସେହିପରି ରାଜ୍ୟର ପଛୁଆବର୍ଗ ତାଲିକା ଅନୁସାରେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସରକାରୀ ଚାକିରିରେ ସଂରକ୍ଷଣ ସୁବିଧା ପାଉଛନ୍ତି।

୧୧.୦୮.୨୦୧୮ ପୂର୍ବରୁ ଆମ ରାଜ୍ୟରେ ୨୦୦ଟି ଜାତି ଓ ଉପଜାତି ଓବିସି ତାଲିକା ଅନ୍ତର୍ଭୁକ୍ତ ହୋଇଛି। ପୂର୍ବ ପରି ରାଜ୍ୟଗୁଡ଼ିକ ପଛୁଆବର୍ଗ ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ଥିବାରୁ ଲୋକସଭାରେ କୌଣସି ବିରୋଧୀ ଦଳ ଏହାକୁ ବିରୋଧ କରି ନାହାନ୍ତି। କିନ୍ତୁ ସଂରକ୍ଷଣରେ ଥିବା ୫୦% ସୀମାକୁ ଉଠାଇବା ପାଇଁ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି। ଯଦି ସମ୍ବିଧାନର ୧୨୭ତମ ସାମ୍ବିଧାନିକ ସଂଶୋଧନ କାର୍ଯ୍ୟକାରୀ ହୁଏ, ତେବେ ୧୧.୦୮.୨୦୧୮(୧୦୨ ସାମ୍ବିଧାନିକ ସଂଶୋଧନ) ପୂର୍ବରୁ ଏବଂ ୦୨.୦୪.୧୯୯୩ (ଜାତୀୟ ପଛୁଆ ବର୍ଗ କମିସନ୍ – ଆଇନ) ପରେ ଯେପରି ରାଜ୍ୟଗୁଡ଼ିକ ସାମାଜିକ ଓ ଶିକ୍ଷାଗତ ‌ପଛୁଆବର୍ଗ ତାଲିକା ପ୍ରସ୍ତୁତି କରୁଥିଲେ ସେହିପରି କରିପାରିବେ ବୋଲି ଶ୍ରୀ ସ୍ବାଇଁ ଓ ଶ୍ରୀ ସାହୁ କହିଛନ୍ତି।

Leave A Reply

Your email address will not be published.