ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବ୍ରିଟେନରୁ ବିମାନ ବାତିଲ

ନୂଆଦିଲ୍ଲୀ, ୨୧।୧୨: ବ୍ରିଟେନରେ କରୋନା ପୁଣି ମରାତ୍ମକ ରୂପ ନେଇଛି। ବ୍ରିଟେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଭାରତ ସରକାର ଆକ୍ସନ ମୋଡ୍‌କୁ ଆସିଯାଇଛନ୍ତି। ତେଣୁ ଡିସେମ୍ୱର ୩୧ ଯାଏ ଭାରତ ଏବଂ ବ୍ରିଟେନ ମଧ୍ୟରେ ସମସ୍ତ ବିମାନ ଚଳାଚଳ ସାମୟିକ ଭାବେ ବାତିଲ କରାଯାଇଛି। ବ୍ରିଟେନରୁ ଆସିଲେ ସେମାନଙ୍କର ଆରଟି-ପିସିଆର ଟେଷ୍ଟ ହେବ। ନେଗେଟିଭ୍ ଆସିଲେ ମଧ୍ୟ ଏକ ସପ୍ତାହ ପାଇଁ ସଙ୍ଗରୋଧରେ ରହିବାକୁ ହେବ। ପଜିଟିଭ୍ ଆସିଲେ କୋଭିଡ୍ ସେଣ୍ଟର ନହେଲେ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବ ବୋଲି ସରକାର ନିୟମ କରିଛନ୍ତି। ବିମାନବନ୍ଦରରେ ଥିବା ଯାତ୍ରୀମାନଙ୍କୁ ଏ ବିଷୟରେ ସୂଚନା ଦିଆଯିବ। ବିମାନବନ୍ଦରରେ ଏକ ହେଲ୍ପ ଡେସ୍କ ସ୍ଥାପନ କରିବାକୁ ସମ୍ପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ର କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣଙ୍କ ଦ୍ୱାରା ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ସେ କହିଛନ୍ତି, ସତର୍କ ରହିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଗତ ଅଢ଼େଇ ମାସ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ତେଣୁ ବ୍ରିଟେନରୁ ଆସିଥିବା ଲୋକଙ୍କ ଦ୍ୱାରା କରୋନା ବ୍ୟାପିବାର ସମ୍ଭାବନାକୁ ଦେଖି ସରକାର ବିମାନ ସେବା ବାତିଲ କରିଛନ୍ତି ବୋଲି କହିଛନ୍ତି।

Comments are closed.