ବାତ୍ୟା କ୍ଷତିପୂରଣ ବାବଦକୁ ଓଡ଼ିଶାକୁ ମିଳିଲା ୫୦୦ କୋଟି

0

ଭୁବନେଶ୍ୱର, ୨୮।୫: ଓଡ଼ିଶାରେ ବାତ୍ୟା ‘ୟାସ୍‌’ର କ୍ଷୟକ୍ଷତି ଆକଳନ କରି ଓଡ଼ିଶାକୁ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର। ବାତ୍ୟା ପାଇଁ ମୋଟ ୧୦୦୦ କୋଟିରେ ସହାୟତା ଘୋଷଣା ହୋଇଛି। ସେଥିମଧ୍ୟରୁ ଓଡ଼ିଶାକୁ ଏକାକୀ ୫୦୦ କୋଟି ଟଙ୍କାର ସହାୟତା ମିଳିଥିବା ବେଳେ ବାକି ୫୦୦ କୋଟି ପଶ୍ଚିମବଙ୍ଗ ଓ ଝାରଖଣ୍ଡକୁ ମିଳିଛି। ସେହିପରି ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା ହୋଇଛି।

ବାତ୍ୟା ଯାସ୍‌ରେ କ୍ଷୟକ୍ଷତି ସମୀକ୍ଷା କରିବା ପାଇଁ ଆଜି ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ବରରେ ବାତ୍ୟା ସମୀକ୍ଷା ବୈଠକ ହୋଇଥିଲା। ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ସ୍ଥାୟୀ ପ୍ରତିକାର କରିବା ଦାବି କରିଥିଲେ ରାଜ୍ୟ ସରକାର। ଉପକୂଳ ଜିଲ୍ଲାରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ ବ୍ୟବସ୍ଥା କରିବା ସହିତ ସମୁଦ୍ର ଜୁଆର ଅଟକାଇବାକୁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଥିଲା ରାଜ୍ୟ। ତେବେ ୟାସ ବାତ୍ୟା କ୍ଷୟକ୍ଷତି ପାଇଁ ରାଜ୍ୟ ପକ୍ଷରୁ କୌଣସି ସହାୟତା ଦାବି କରାଯାଇ ନଥିଲା। ୟାସ କ୍ଷୟକ୍ଷତିକୁ ରାଜ୍ୟ ସରକାର ତୁଲାଇ ଦେବେ ବୋଲି ସୂଚନା ଦେଇଥିଲେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିନର ପ୍ରଦୀପ ଜେନା।

ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ଅଭୟ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ସାମୀକ୍ଷା ବୈଠକ ପରେ ରାଜ୍ୟର ବାତ୍ୟା ପ୍ରଭାବିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଆକାଶ ମାର୍ଗରୁ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Leave A Reply

Your email address will not be published.