୫-ଟି ସଚିବଙ୍କ ଅନୁଗୁଳ ଗସ୍ତ : ଆମ ହସ୍ପିଟାଲରେ ସାମିଲ ହେଲା ଛେଣ୍ଡିପଦା ସିଏଚସି

0

ଭୁବନେଶ୍ବର, ୧୦।୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ୫-ଟି ସଚିବ ଅନୁଗୁଳ ଜିଲ୍ଲା ସୋମବାର ଗସ୍ତ କରିଛନ୍ତି।  ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକମାନଙ୍କ ଅଭିଯୋଗ ଶୁଣିଥିଲେ। ଛେଣ୍ଡିପଦା ସିଏଚସି ପରିଦର୍ଶନ କରିଥିଲେ। ଛେଣ୍ଡିପଦା ସିଏଚସିକୁ ଆମ ହସ୍ପିଟାଲରେ ସାମିଲ କରିବାକୁ ଲୋକମାନେ ଦାବି କରିଥିଲେ। ଫଳରେ ଉକ୍ତ ବୈଠକ ସ୍ଥଳରୁ  ମୁଖ୍ୟମନ୍ତ୍ରୀଙ୍କ ସହ  ଭିଡିଓ କଲରେ ଯୋଗାଯୋଗ କରି ଲୋକଙ୍କ ଦାବି ସମ୍ପର୍କରେ ଜଣାଇଥିଲେ। ଉକ୍ତ ଦାବିକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଅନୁମୋଦନ କରିଥିଲେ। ଏଥିସହ ତୁରନ୍ତ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ।

ସେହିପରି ମା’ ହିଙ୍ଗୁଳା ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିର ବିକାଶ ପାଇଁ କମିଟି, ପୂଜାରି ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ପରେ ତାଳଚେର ଖେଳ ପଡିଆରେ ଲୋକଙ୍କ ସମସ୍ୟା ବୁଝିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ତାଳଚେର, କଣିହାଁ, ବଅରପାଳର ମେଗା ପାଇପ ଜଳ ଯୋଗାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ୩୫୭ କୋଟି ଟଙ୍କା ବ୍ୟୟର ଏହି ପ୍ରକଳ୍ପ ଅଗଷ୍ଟ ମାସରେ ଶେଷ ହେବ। ଏଥିରେ ୧୨୪ଟି ଗାଁ ଉପକୃତ ହେବେ। ସେହିପରି  ୨୨୧ କୋଟି ଟଙ୍କା ବ୍ୟୟରେ ବ୍ରାହ୍ମଣ ନଦୀ ପାର୍ଶ୍ୱରେ ଥିବା ଇନଷ୍ଟ୍ରିମ୍ ଷ୍ଟୋରେଜ୍ ସିଷ୍ଟମକୁ ସେ ସମୀକ୍ଷା କରିଥିଲେ।  ଏହା ଜୁଲାଇ ୨୦୨୫ ସୁଦ୍ଧା ଶେଷ ହେବ।

ଶ୍ରୀ ପାଣ୍ଡିଆନ୍ ୪୧୫ କୋଟି ଟଙ୍କା ବ୍ୟୟରେ ଛେଣ୍ଡିପଦା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଯୋଜନାର ଅଗ୍ରଗତିର ସମୀକ୍ଷା କରିଥିଲେ। ଯାହା ଅଗଷ୍ଟ ରେ ଶେଷ ହେବ ଏବଂ ଛେଣ୍ଡିପଦା ବ୍ଲକର ୧୭୨ ଟି ଗାଁ ଏଥିରେ ଉପକୃତ ହେବ।

ସେହିପରି ବନ୍ତଳା ବ୍ଲକରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନୁଗୁଳ ଏବଂ ବଅରପାଳର କିଛି ଗାଁ ପାଇଁ ୩୫୭.୯୨ କୋଟି ଟଙ୍କା ବ୍ୟୟରେ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଯୋଜନାର ଅଗ୍ରଗତିର ସମୀକ୍ଷା କରିଥିଲେ।  ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବ । ଏଥିରେ ୨୭୮ ଟି ଗାଁ ଉପକୃତ ହେବ।

ଅନୁଗୁଳ ଟାଉନର ବିଜୁ ମଇଦାନ ଠାରେ ଅନୁଗୁଳ ଜିଲ୍ଲାର ବିଭିନ୍ନ କଲେଜର ଯୁକ୍ତ-୨ ଓ  ଗ୍ରାଜୁଏଟ  ଛାତ୍ରଛାତ୍ରୀଙ୍କୁ  ସମ୍ବୋଧିତ କରି ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଅନୁଗୁଳ ଜିଲାର ୪୭ଟି ଯୁକ୍ତ ୨ ଓ ଡିଗ୍ରୀ କଲେଜ ୫-ଟିରେ ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ସମ୍ପର୍କରେ ସେ ସୂଚନା ଦେଇଥିଲେ। ୫ଟି ସଚିବଙ୍କ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର.ଭିନିଲ କ୍ରିଷ୍ଣା,ଡିଆଜି ବ୍ରିଜେଶ ରାୟ, ଜିଲାପାଳ ସିଦ୍ଧାର୍ଥ ସ୍ବାଇଁ, ଏସପି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.