ହକି ଇଣ୍ଡିଆର ୟୁ-ଟର୍ଣ୍ଣ, ବିବାଦ ପରେ ଆଡ୍‌ହକ୍‌ କମିଟିର ଚେୟାରମ୍ୟାନ୍‌ ହେଲେ ଦିଲ୍ଲୀପ ତିର୍କୀ

ଭୁବନେଶ୍ବର, ୧୮/୬: ବହୁ ବାଦ ବିବାଦ ଓ ବିରୋଧ ପରେ ବଦଳିଲେ ହକି ଇଣ୍ଡିଆ ଆଡହକ୍‌ କମିଟିର ଚେୟାରମ୍ୟାନ୍। ପୂର୍ବତନ ହକି ତାରକା ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଏବେ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରିଛି ହକି ଇଣ୍ଡିଆ। କିଛି ଦିନ ପୂର୍ବରୁ ହକି ଇଣ୍ଡିଆ ଭୋଳାନାଥ ସିଂହଙ୍କୁ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଥିଲେ। କିନ୍ତୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଦିଲିପ ତିର୍କୀଙ୍କୁ କମିଟି କେବଳ ସଦସ୍ୟ ଦାୟିତ୍ବ ଦେଇଥିଲା। ଏହାକୁ ନେଇ କ୍ରୀଡ଼ା ଜଗତରେ ପ୍ରତିବାଦର ସ୍ବର ଦେଖାଦେଇଥିଲା ବେଳେ ଏହାର ପୁନର୍ବିଚାର କରିବା ପାଇଁ ବାଧ୍ୟ ହୋଇ ଥିଲା ହକି ଇଣ୍ଡିଆ। ସେହିପରି ପୂର୍ବରୁ ଆଡହକ୍ କମିଟିର ଚେୟାରମ୍ୟାନ୍ ହୋଇଥିବା ଭୋଳାନାଥ ସିଂହ ଆଡହକ୍ କମିଟିର ସଦସ୍ୟ ହୋଇଛନ୍ତି।

କ୍ରୀଡ଼ା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା, ରାଜେନ୍ଦ୍ର ପାଣି, ଆର୍‌କେ ଶ୍ରୀବାସ୍ତକ ଓ ଅଧିପ ଦାସ ମଧ୍ୟ ଆଡହକ୍‌ କମିଟିର ସଦସ୍ୟ ନିଯୁକ୍ତ ହୋଇଛନ୍ତି। ହକି ଇଣ୍ଡିଆ କିଛି ଦିନ ତଳେ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ ଭାବେ ହକି ଝାଡ଼ଖଣ୍ଡର ସଭାପତି ଭୋଳାନାଥ ସିଂହଙ୍କୁ ନିଯୁକ୍ତ କରିଥିଲା। ଅନ୍ୟପଟେ ଦିଲ୍ଲୀପ ତିର୍କୀଙ୍କୁ କେବଳ କମିଟିର ସଦସ୍ୟ କରିଥିଲା। ଯାହା ପରେ ଏହାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା। ଓଡ଼ିଶାରେ ଏତେ ଦକ୍ଷ ହକି ଖେଳାଳି ଥାଉ ଥାଉ ବାହାର ରାଜ୍ୟର ବ୍ୟକ୍ତିଙ୍କୁ ଓଡ଼ିଶା ଆଡହକ୍ କମିଟିର ଚେୟାରମ୍ୟାନ୍ କରାଯିବା ଲୋକେ ସହଜରେ ଗ୍ରହଣ କରିପାରିନଥିଲେ। ଯାହକୁ ନେଇ ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିଲା।

Comments are closed.