ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ସଂପନ୍ନ: ଖାନନଗର ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର

0

କଟକ, ୨୮/୮: ପ୍ରଖ୍ୟାତ ସାହିତ୍ୟିକ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। କଟକର ଖାନନଗର ଶ୍ମଶାନରେ କାଠ ଚୁଲାରେ ତାଙ୍କର ସତ୍କାର କରାଯାଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଡକ୍ଟର ଜୟନ୍ତ ମହାପାତ୍ରଙ୍କ ପୁତୁରା ମୁଖାଗ୍ନି ଦେଇଥିଲେ।  ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଶେଷକୃତ୍ୟ ସମୟରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଟକ ମହାନଗର ନିଗମର ମେୟର ସୁବାସ ସିଂହ, ଜିଲ୍ଲାପାଳ ଭବାନୀଶଙ୍କର ଚଇନି, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ସାହିତ୍ୟିକ ଅମରେଶ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତି ୯ଟାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଡ. ମହାପାତ୍ର କିଛି ଦିନ ହେଲା ଅସୁସ୍ଥ ଥିଲେ। ଜ୍ବରରେ ପଡ଼ିବା ସହ ତାଙ୍କ ହୃତ୍ସ୍ପନ୍ଦନରେ ସମସ୍ୟା ଦେଖାଦେଇଥିଲା। ଘରେ ରହି ସେ ଚିକିତ୍ସିତ ହେଉଥିଲେ। ହୃଦରୋଗ ବିଶେଷଜ୍ଞ ପ୍ରଫେସର୍ ଡାକ୍ତର ବିଶ୍ୱଜିତ ଦାସଙ୍କ ନେତୃତ୍ବରେ ଏହି ଟିମ୍ ଡ. ମହାପାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଗତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଗଭୀର ଶୋକପ୍ରକାଶ ପାଇଛି।

ତାଙ୍କ ବିୟୋଗରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟରେ ଏକ ଯୁଗର ଅନ୍ତ ଘଟିଛି। ନିମୋନିଆରେ ଆକ୍ରାନ୍ତ ହେବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଅଗଷ୍ଟ ୪ ତାରିଖରେ ଭର୍ତ୍ତି କରାଯାଇଥିଲା। ୨୬ ତାରିଖ ରାତି ୯ଟାରେ ତାଙ୍କୁ ଭେଣ୍ଟିଲେଟର୍‌କୁ ନିଆଯାଇଥିଲା। କିନ୍ତୁ ରବିବାର ୨୭ ତାରିଖ ରାତି ୯ଟାରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା। ବିଳମ୍ବିତ ରାତିରେ ତାଙ୍କ ମରଶରୀରକୁ କଟକ ତିନିକୋଣିଆ ବଗିଚାସ୍ଥିତ ବାସଭବନ ‘ଚନ୍ଦ୍ରଭାଗା’କୁ ନିଆଯାଇଥିଲା। ସୋମବାର ତାଙ୍କ ଶେଷ ଇଚ୍ଛା ଅନୁସାରେ ମରଶରୀରକୁ ଦାହ କରାଯାଇଛି।

ଡ. ମହାପାତ୍ର ୧୯୨୮ ଅକ୍ଟୋବର ୨୨ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ କଟକସ୍ଥିତ ଷ୍ଟିୱାର୍ଟ ସ୍କୁଲରେ ପାଠ ପଢ଼ିଥିଲେ। ବିହାରର ପାଟଣା ବିଶ୍ବବିଦ୍ୟାଳୟରେ ସେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୪୯ ମସିହାଠାରୁ ରାଜ୍ୟ ସରକାରଙ୍କ ବିଭିନ୍ନ କଲେଜ (ସମ୍ବଲପୁରସ୍ଥିତ ଗଂଗାଧର ମେହେର କଲେଜ, ଭୁବନେଶ୍ବରସ୍ଥିତ ବିଜେବି କଲେଜ, ବାଲେଶ୍ବରସ୍ଥିତ ଫକୀର ମୋହନ କଲେଜ ଓ କଟକସ୍ଥିତ ରେଭେନ୍ସା କଲେଜ ଓ ଶୈଳବାଳା ମହିଳା କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ। ୧୯୮୬ ମସିହାରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଅବସର ନେଇଥିଲେ। ୧୯୬୦ ମସିହା ପରେ ସେ ଲେଖକୀୟ ଜୀବନ ଆରମ୍ଭ କରିଥିଲେ। ଉଭୟ ଇଂରାଜୀ  ଓ ଓଡ଼ିଆ ସାହିତ୍ୟରେ ତାଙ୍କର ଅପରିସୀମ ଦକ୍ଷତା ଥିଲା। ଇଂରାଜୀ କବିତା ପାଇଁ ସେ ପ୍ରଥମ ଭାରତୀୟ କବି ଭାବେ ‌କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ। ୨୦୦‌୯ରେ ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନ ପ୍ରଦାନ କରିଥିଲେ।

Leave A Reply

Your email address will not be published.