୬ ଓଡ଼ିଆଙ୍କ ସମେତ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ, ୨୫।୧: ସାଧାରଣତନ୍ତ୍ର ଦିବସ ପୂର୍ବରୁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ଭାରତ ସରକାର। ଚଳିତ ବର୍ଷ ୬ ଓଡ଼ିଆଙ୍କ ସହ ମୋଟ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଦେଶର ସର୍ବୋଚ୍ଚ ବେସାମରିକ ପଦ୍ମ ବିଭୂଷଣରେ ଜଣେ ଓଡ଼ିଆଙ୍କ ସମେତ ୭ ଜଣ ସମ୍ମାନିତ ହେବେ। ଏମାନଙ୍କ ମଧ୍ୟରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ନାଁ ମଧ୍ୟ ରହିଛି। ପବ୍ଲିକ ବ୍ୟାପାର ବିଭାଗ କ୍ଷେତ୍ରରେ ତାଙ୍କୁ ଏହି ସମ୍ମାନ ମିଳିବ।

ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ, କଳା ପାଇଁ ଏସ ପି ବାଲାସୁବ୍ରମଣିଅନ, ମେଡିସନି ପାଇଁ ବେଲେ ମୋନାପ୍ପା ହେଗଡେ, ବିଜ୍ଞାନ ଓ ଇଞ୍ଜିନିୟରିଂ ପାଇଁ ଆମେରିକାର ନରିନ୍ଦର ସିଂହ କାପନେୟ, ମୌଲାନା ୱାହିଦୁଦ୍ଦିନ ଖାନ ଏବଂ ବିବି ଲାଲଙ୍କୁ ମଧ୍ୟ ପଦ୍ମ ବିଭୂଷଣ ସମ୍ମାନ ମିଳିବ।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ରାଜ୍ୟର ୬ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସୁଦର୍ଶନ ସାହୁଙ୍କୁ କଳା ପାଇଁ ପଦ୍ମବିଭୂଷଣ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଥିବା ବେଳେ ଅନ୍ୟ ୫ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଲିକା ଅନୁସାରେ ମୋଟ ୧୧୯ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମବିଭୂଷଣ(୭ଜଣ), ପଦ୍ମଭୂଷଣ(୧୦ଜଣ) ଓ ପଦ୍ମଶ୍ରୀ ପୁରସ୍କାର (୧୦୨ଜଣ) ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି।

Comments are closed.