ଲୋକ ଭବନ ପାଇଲା ‘ପ୍ଲାଟିନମ ଗ୍ରିନ କ୍ୟାମ୍ପସ’ ମାନ୍ୟତା
ଭୁବନେଶ୍ବର, ୧/୯: ରାଜ୍ୟପାଳଙ୍କ ସରକାରୀ ବାସଭବନ ଲୋକ ଭବନକୁ ଇଣ୍ଡିଆନ ଗ୍ରିନ୍ ବିଲ୍ଡିଂ କାଉନ୍ସିଲ୍ (ଆଇଜିବିସି) ପକ୍ଷରୁ ପ୍ଲାଟିନମ୍ ଗ୍ରିନ୍ କ୍ୟାମ୍ପସ ସାର୍ଟିଫିକେସନ୍ ପ୍ରଦାନ କରାଯାଇଛି। ଅକ୍ଷୟ ଶକ୍ତି, ଜଳ ସଂରକ୍ଷଣ, ଜୈବବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ବଚ୍ଛ ଗମନାଗମନ ସୁବିଧା ପାଇଁ ୧୦୦ରୁ ଲୋକଭବନକୁ ୮୮ ସ୍କୋର୍ ମିଳିଛି।
ଭବନର ୮୦ ପ୍ରତିଶତ ସ୍ଥାନରେ ସବୁଜିମା ରହିଛି ସେଥିରେ ୭୨ ପ୍ରଜାତିର ୨୩୭୪ ବୃକ୍ଷ ରହିଛି। ରାଜ୍ୟର ପ୍ରଥମ ସରକାରୀ ପରିସର ଭାବେ ଲୋକ ଭବନ ଏହି ମାନ୍ୟତା ହାସଲ କରିଛି। ଆଜି ଲୋକ ଭବନରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କହିଛନ୍ତି ଯେ ଏହା ହେଉଛି ଦେଶର ପ୍ରଥମ ଲୋକ ଭବନ ଯାହାକୁ ଆଜିବିସିର ସର୍ବୋଚ୍ଚ ସାର୍ଟିଫିସେନ୍ ମିଳିଛି। ନୂଆଦିଲ୍ଲୀ ଗସ୍ତ କରି ସେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି। ଉପସ୍ଥିତ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ସେ ସବୁଜ କ୍ୟାମ୍ପସ ପାଇଁ ଉଦ୍ୟମ କରିବାକୁ ଆହ୍ବାନ ଦେଇଛନ୍ତି। ଏଭଳି ଗ୍ରିନ୍ ସାର୍ଟିଫିକେସନ ହାସଲ ଦିଗରେ କାମ କରିବାକୁ ସେ ସେମାନଙ୍କୁ କହିଛନ୍ତି।
ଲୋକସେବା ଭବନକୁ ମଧ୍ୟ ଗ୍ରିନ ସାର୍ଟିଫିକେସନ ହାସଲ କରିବା ପାଇଁ ଉଦ୍ୟମ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଉନ୍ନତ ଜଳ ପରିଚାଳନା ଜରିଆରେ ଲୋକ ଭବନ ଜଳ ଆହରଣକୁ ୩୫% ହ୍ରାସ କରିପାରିଛି। ଏଥିରେ ୬୩୫ କେଡବ୍ଲ୍ୟୁପିର ସୋଲାର ପିଭି ବ୍ୟବସ୍ଥା ରହିଛି। ବିଦ୍ୟୁତ୍ ବ୍ୟବହାର କମ୍ କରିବା ପାଇଁ ଏଲ୍ଇଡି ଲାଇଟ୍ ଓ ସ୍ମାର୍ଟ ସମୟ ଆଧାରିତ ବ୍ୟବସ୍ଥା ବ୍ୟବହାର କରାଯାଇଛି। ଏହାର ସମସ୍ତ ଗାଡ଼ି ହେଉଛି ଇଭି। ବର୍ଜ୍ୟବସ୍ତୁ ପୃଥକୀକରଣ ବ୍ୟବସ୍ଥା ସହିତ କିଚେନ ଗାର୍ଡେନ୍ ଓ ଔଷଧୀୟ ଉଦ୍ୟାନ ମଧ୍ୟ ରହିଛି। ଉନ୍ନତ ବାୟୁ ଚଳାଚଳ ପାଇଁ ବ୍ୟବସ୍ଥା ସହିତ ଧୂମପାନ ନିଷେଧ ଜୋନ୍ ମଧ୍ୟ ରହିଛି। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ ଦେବ, ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗର ପ୍ରମୁଖ ସଚିବ ଭାସ୍କରଜ୍ୟୋତି ଶର୍ମା ଓ ଆଇଜିବିସିର ଅଧ୍ୟକ୍ଷ ସି ଶେଖର ରେଡ୍ଡି ଉପସ୍ଥିତ ଥିଲେ।