ଏସ୍‌ସିବି ମେଡିକାଲର ନବକଳେବର: ଖର୍ଚ୍ଚ ହେବ ୩୫ ଶହ କୋଟି

କଟକ ୩୧।୧୨: ସ୍ୱାସ୍ଥ୍ୟ ସେବା ପାଇଁ ଏସସିବି ମେଡିକାଲର ନବକଳେବର ହେବ। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ (ଏସ୍‌ସିବି) କଲେଜର ନବକଳେବର ପାଇଁ ୩୫୦୦କୋଟି ଖର୍ଚ୍ଚ ହେବ। ଏହି ମେଡିକାଲ କଲେଜକୁ ଏମ୍‌ସ ପ୍ଲସ୍ ଭାବେ ଗଢ଼ି ତୋଳିବା ସହ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯିବ। ସରକାରୀସ୍ତରରେ ମେଡିକାଲ କଲେଜ ଓ ହସ୍ପିଟାଲରେ ଏତେ ପରିମାଣର ଅର୍ଥ ବିନିଯୋଗ ହେବାରେ ଏହା ହେଉଛି ଦେଶର ସର୍ବବୃହତ୍ ପ୍ରକଳ୍ପ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମେଡିକାଲ କଲେଜର ନବକଳେବର ପ୍ରକଳ୍ପର ସମୀକ୍ଷା କରି ୫ ହଜାର ବେଡ୍ ବିଶିଷ୍ଟ କରାଯିବ ବୋଲି କହିଛନ୍ତି। ଡାକ୍ତର, ରୋଗୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ହେବ। ୧୯୪୪ ମସିହାରୁ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ଓଡ଼ିଶା ସମେତ ପୂର୍ବ ଭାରତରେ ଉନ୍ନତ ମାନର ଚିକିତ୍ସା ଯୋଗାଇବାରେ ସୁନାମ କରିଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ରୋଗୀମାନଙ୍କୁ ସୁଲଭ ଓ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ଏକ ଉଦାହରଣ ହୋଇ ରହିବ। ମୋଟ୍ ୧୭୫ ଏକର ଜମିରେ ଏହି ପ୍ରକଳ୍ପର ନିର୍ମାଣ ହେବ ।

Comments are closed.